Onn 3

ଏଥର ୩ଦିନ ପୂର୍ବରୁ ମୌସୁମୀ : ଏହି ତାରିଖରେ ଭାରତ ଛୁଇଁବ

National & International

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦ୍ବାରା ପ୍ରବଳ ଗରମରୁ ମୁକ୍ତି ମିଳିବାର ଆଶା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଏହାର ସାଧାରଣ ଆଗମନ ତାରିଖ ପୂର୍ବରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ମେ’ ୨୨ ର ହାରାହାରି ଆଗମନ ତାରିଖର ତିନି ଦିନ ପୂର୍ବରୁ ମେ’ ୧୯ ସୁଦ୍ଧା ମୌସୁମୀ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ପ୍ରାରମ୍ଭିକ ଆଗମନକୁ ଏଲ୍ ନିଓ ସିଷ୍ଟମର ଦୁର୍ବଳତା ଏବଂ ଲା ନି ନୋ ସ୍ଥିତିର ସକ୍ରିୟତା ସହିତ ଅନୁକୂଳ ଭାରତ ମହାସାଗର ଡିପୋଲ୍ (ଆଇଓଡି) ଅବସ୍ଥା ପାଇଁ ଦାୟୀ ବୋଲି ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗ ଚଳିତ ବର୍ଷ ମୌସୁମୀ ସମୟରେ ଭାରତରେ ସାଧାରଣ ବୃଷ୍ଟିପାତ ହେବାର ସମ୍ଭାବନାକୁ ସୂଚିତ କରିଛି। ପୂର୍ବରୁ ଆଇଏମଡି ଚଳିତ ମୌସୁମୀରେ ସାଧାରଣ ବର୍ଷାଠାରୁ ଅଧିକ ପୂର୍ବାନୁମାନ କରିଥିଲା। ଆସନ୍ତା ଦୁଇ ଦିନ ୧୫ରୁ ୧୬ ପର୍ଯ୍ୟନ୍ତ ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ଭଳି ଦକ୍ଷିଣ ରାଜ୍ୟରେ ବଜ୍ରପାତ ଏବଂ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆକଳନ କରାଯାଇଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ ସୁଦ୍ଧା କେରଳରେ ପ୍ରବେଶ କରିବ, ବଙ୍ଗୋପସାଗରରୁ କେନ୍ଦ୍ରୀୟ ଭାରତ ଆଡକୁ ମୁହାଁଇବ ଏବଂ ମେ’ ୧୯ସୁଦ୍ଧା ଭାରତୀୟ ସୀମାରେ ପହଞ୍ଚିବ।
ମହାରାଷ୍ଟ୍ରରେ ମୌସୁମୀ ଜୁନ୍ ୧୦ ସୁଦ୍ଧା ପହଞ୍ଚିପାରେ, ତା’ପରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ବିହାରରେ ଜୁନ୍ ୧୫ ସୁଦ୍ଧା ପହଞ୍ଚିପାରେ। ଜୁନ୍ ୨୦ ସୁଦ୍ଧା ଗୁଜୁରାଟର ଆଭ୍ୟନ୍ତରୀଣ ଅଞ୍ଚଳ, ମଧ୍ୟପ୍ରଦେଶର କେନ୍ଦ୍ରୀୟ ଅଞ୍ଚଳ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି। ଯଦିଓ ପାଣିପାଗ ବିଭାଗ ଏସବୁ ରାଜ୍ୟରେ ମୌସୁମୀର ଆଗମନ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରି ନାହାନ୍ତି। କିନ୍ତୁ ବିଭାଗ ପକ୍ଷରୁ କ୍ରମାଗତ ଭାବରେ ମୌସୁମୀର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।
ଜୁନ୍ ୨୫ ସୁଦ୍ଧା ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କଶ୍ମୀରରେ ଏବଂ ଜୁନ୍ ୩୦ ସୁଦ୍ଧା ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି। ଜୁଲାଇ ୮ ସୁଦ୍ଧା ମୌସୁମୀ ସମଗ୍ର ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଛି।