Mkg Border Seal Hi Alert 2 750x430

ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ

State

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଆସନ୍ତାକାଲି (ଏପ୍ରିଲ୧୯)ରେ ମତଦାନ ହେବ। ଏହାକୁ ଆଖି ଆଗରେ ରଖି ପୁଲିସ, ବିଏସଏଫ, ସିଆରପିଏଫ ଏବଂ ଛତିଶଗଡ଼ର ସମସ୍ତ ସୁରକ୍ଷାକର୍ମୀ ଆଲର୍ଟ ହୋଇୟାଇଛନ୍ତି। ନକ୍ସଲଙ୍କ ଗତିବିଧି ଉପରେ ମାଲକାନଗିରି ପୁଲିସ ସମେତ ଛତିଶଗଡ଼ ପୁଲିସ ନଜର ରଖିଛି। କୌଣସି ଅଘଟଣକୁ ଏଡାଇବାକୁ ଗୁଇନ୍ଦା ବିଭାଗକୁ ସତର୍କ କରିଦିଆଯାଇଛି। ଛତିଶଗଡ ନିର୍ବାଚନର ଦୁଇ ସପ୍ତାହ ପରେ ମାଲକାନଗିରିରେ ନିର୍ବାଚନ ହେବାକୁ ଥିବା ବେଳେ ନକ୍ସଲ ଓଡ଼ିଶା ମୁହଁ ହେବାର ସମ୍ଭାବନା ରହିଛି। ତେଣୁ ମାଲକାନଗିରି ପୁଲିସ ଏବଂ ବିଏସ୍‌ଏଫ ତରଫରୁ ଅପରେସନକୁ ଜୋରଦାର କରାଯାଉଛି।ସୀମାକୁ ସିଲ କରିଦିଆଯାଇଥିବା ବେଳେ ହାଇ ଆଲର୍ଟ ଜାରି କରାଯାଇଛି।
ମାଲକାନଗିରି ଏସପି ନିତିଶ ବାଧୱାନୀଙ୍କ କହିବା ଅନୁଯାୟୀ ଜିଲ୍ଲାର ୧୬ଟି ସ୍ଥାନରେ ଅପରେସନ ଚାଲିଛି। ୪ଟି ଟିମକୁ ଷ୍ଟାଣ୍ଡବାୟ ରଖାଯାଇଛି। କୌଣସି ମୁହର୍ତ୍ତରେ ଦରକାର ପଡିଲେ ଏହି ଟିମ ଘଟଣାସ୍ଥଲକୁ ଯିବେ। ଜିଲ୍ଲାର ଚାରୋଟି ଯିବା ଆସିବା ସୀମା ପଥରେ ୨୪ ଘଣ୍ଟା ପୁଲିସ ପଇଁତରା ମାରୁଛି। ଅଜଣା ବ୍ୟକ୍ତିଙ୍କୁ ଧରି ପଚରାଉଚରା କରୁଛି। ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି। ସୀମାରେ ହାଇଟେକ ଡ୍ରୋନ ବୁଲୁଛି। ନକ୍ସଲଙ୍କ ଗତିବିଧି ସଂପର୍କରେ ସମସ୍ତ ସୂଚନା ପାଇବା ପରେ ପୁଲିସ ଚଢାଉ କରିବ ବୋଲି କୁହାଯାଇଛି।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ଛତିଶଗଡ ସରକାର ଏବଂ ପ୍ରଶାସନ ଦିନରାତି ଏକ କରିଦେଇଛନ୍ତି। ଗତ ଦୁଇ ଦିନ ତଳେ ଏନକାଉଣ୍ଟର କରି ନକ୍ସଲଙ୍କୁ ବେକଫୁଟକୁ ପୁଲିସ ଠେଲିଛି। ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। କିନ୍ତୁ ସୁଯୋଗ ପାଇଲେ ଆକ୍ରମଣ କରିବା ଆଶଙ୍କା ରହିଛି। ତେଣୁ ପୁଲିସ ସଜାଗ ରହିବା ସହ ଲୋକଙ୍କୁ ସହଯୋଗ କରିବାକୁ କହିଛି। ମାଲକାନଗିରିକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମା ଲାଗିଥିବାରୁ ପୁଲିସ ଜଗିବା ମୁସକିଲ ହେଲେ ମଧ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛି। ଜିଲ୍ଲାରେ ନକ୍ସଲ ପଶିବା ଅସମ୍ଭବ ବୋଲି ପୁଲିସ କହିଛି। ପୁଲିସ ଇନଫର୍ମରମାନେ ଗାଁ ଗାଁରେ ଆଲର୍ଟ ରହିଥିବା କୁହାଯାଇଛି। ନକ୍ସଲଙ୍କ ଗତିବିଧି ସଂପର୍କରେ ଖବର ମିଳୁ ମିଳୁ ଚଢାଉ ହେବ। ତେଣୁ ଏସପି ଶ୍ରୀ ବାଧୱାନୀ ନିଜେ କଣ୍ଟ୍ରୋଲ ରୁମରେ ବସି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତୀକ୍ଷଣ ନଜର ରଖିଛନ୍ତି।