Werewew1

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

Politics State

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ।

ଚିତ୍ତରଞ୍ଜନ ନିଜ ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ । ଟିକେଟ୍‌ ନ ମିଳିବାରୁ ସେ ନିରାଶ ହୋଇ ଦଳ ଛାଡିଥିବା ଜଣାପଡିଛି ।

ଚିତ୍ତରଞ୍ଜନ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ସେ ନର୍ଲା ବିଧାନସଭା ଆସନରୁ ଲଡିବାକୁ ଚାହୁଁଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍‌ ନ ଦେଇ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ନିଷ୍ଠାର ସହିତ ସେ ଦଳ ପାଇଁ କାର୍ଯ୍ୟ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ କିଛି ପଦକ୍ଷେପ ଓ ନିଷ୍ପତ୍ତି ତାଙ୍କୁ ଦୁଃଖିତ କରିଛି । ଯେଉଁଥିରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି ।

୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ୩୫ ହଜାର ୭୫୩ ଖଣ୍ଡ ଭୋଟ୍ ପାଇ ତୃତୀୟ ନମ୍ବରରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।