S

ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ

National & International

ନୂଆଦିଲ୍ଲୀ: ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ। ପାକିସ୍ତାନରୁ ଏବେ ଏହି ବଡ ଖବର ସାମ୍ନାକୁ ଆସିଛି। ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜକୁ ହତ୍ୟା କରିଥିବା ଜଣାପଡ଼ିଛି। ଆମୀର ସରଫରାଜ ଯିଏକି ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତଙ୍କୁ ହତ୍ୟା କରିଥିଲା। ଆମୀର ସରଫରାଜ, ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଆମୀର ସରବଜିତଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ସାମ୍ନାକୁ ଆସିଥିଲା। ଏବେ ତାକୁ ହତ୍ୟା କରାଯାଇଥିବା ଖବର ଜାତୀୟ ଗଣମାଧ୍ୟମ ଆଜ୍ ତକ‌ ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୦, ୧୯୯୦ରେ ସରବଜିତ୍ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ଲାହୋର ଏବଂ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ୧୪ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସରବଜିତଙ୍କ ହାତ ଥିବା ଅଭିଯୋଗ କରି ତାଙ୍କୁ ଜେଲରେ ବନ୍ଦୀ କରିଦିଆଯାଇଥିଲା। ୧୯୯୧ରେ ସରବଜିତ ସିଂଙ୍କୁ ବୋମା ବିସ୍ଫୋରଣ କରିଥିବା ଅଭିଯୋଗରେ ଫାଶୀଦଣ୍ଡ ଦିଆଯାଇଥିଲା। ହେଲେ ପରେ ବର୍ଷ ବର୍ଷ ଧରି ପାକିସ୍ତାନ ସରକାର ତାଙ୍କ ଦଣ୍ଡ ଘୁଞ୍ଚାଇ ଚାଲିଥିଲେ। ଏମଧ୍ୟରେ ୨୦୧୩ରେ ଜେଲରେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯିବା ସହ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।