Police 1712743605

ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ

Crime State

ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦିଆଯାଇଥିବା ବେଳେ ଉଭୟ ପଟରୁ ଦୁଇଥର ଗୁଳି ବିନିମୟ ହୋଇଥିଲା ।

ତେବେ ୧୫ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାଓବାଦୀ ବହୁଦିନ ଧରି କ୍ୟାମ୍ପ୍ କରି ରହୁଥିବା ସନ୍ଦେହ କରାଯାଉଥିବା ବେଳେ, ରାତ୍ରି ଅନ୍ଧାରର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ପାହାଡ ଉପରେ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ନେଇ ଆଜି ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

ତେବେ ମାଓବାଦୀ ମାନେ ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଯାହାକିଛି ସୁବିଧା ସୁଯୋଗ ଅଛି ସବୁ ଦିଆଯିବ ବୋଲି ଗଣମାଧ୍ୟମ ଜରିଆରେ ବରଗଡ଼ ଏସପି ପ୍ରହଲ୍ଲାଦ ମୀନା ମାଓବାଦି ମାନଙ୍କୁ ଅପିଲ୍ କରିଛନ୍ତି ।

ତେବେ ପାଇକମାଳ ଥାନା ଅଂଚଳର ଗନ୍ଧମାର୍ଦ୍ଦନ ପାହାଡ ଉପରେ ଥିବା କପିଳଧାର ଝରଣା ପାଖରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ମହାସମୁନ୍ଦ (ଛତିଶଗଡ) ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଅବ୍ୟାହତ ରହିଛି l

ତେବେ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ମାଓ ବ୍ୟବହୃତ ରୋଷେଇ ସାମଗ୍ରୀ, ତାରପୋଲିନ, ଛତା, କମ୍ବଳ, ଜୋତା, ଚପଲ, ବିଦ୍ୟୁତ୍ ତାର, ଟୋପି, ରେଡ଼ିଓ, ବ୍ୟାଟେରୀ, ଡାଲି, ଚାଉଳ ସହ ମସଲା ସାମଗ୍ରୀ ଇତ୍ୟାଦି ଜବତ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।