Sf

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

Politics State

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ ଆଦି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଉପରେ ଏହି ଇସ୍ତାହାର ପ୍ରସ୍ତୁତ । ଏହି ନ୍ୟାୟପତ୍ର କେବଳ ନିର୍ବାଚନୀ ଘୋଷଣାପତ୍ର ନୁହେଁ, ଏହା ଦେଶର ଗରିବ ନିଷ୍ପେସିତ ଜନସାଧାରଣଙ୍କ ସ୍ୱର ବୋଲି ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା କହିଛନ୍ତି ।

ବର୍ତମାନ ଦେଶରେ ଅନ୍ୟାୟର ଶିକାର ହେଉଥିବା କୃଷକ, ଯୁବବର୍ଗ, ମହିଳା, ଶ୍ରମିକ ଏବଂ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ । ବିଶେଷ କରି ପ୍ରତ୍ୟେକ ଶିକ୍ଷିତ ଯୁବକ ଯୁବତୀଙ୍କୁ ଆପ୍ରେଂଟିସିପ୍ ପାଇଁ ୧ଲକ୍ଷ ଟଙ୍କା ପ୍ରଦାନ, ୩୦ଲକ୍ଷ ନୂତନ ସରକାରୀ ଚାକିରି, ପ୍ରଶ୍ନପତ୍ର ପ୍ରଘଟ ବନ୍ଦ କରିବା, ଗିଗ୍ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ୫୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍ ପାଣ୍ଠି ଗଠନ କରିବାକୁ କଂଗ୍ରେସ ନିଷ୍ପତି ନେଇଛି । ସେହିପରି କୃଷକମାନଙ୍କୁ ଏମଏସ୍‌ପି ପ୍ରଦାନ, କୃଷିଋଣ ଛାଡ଼ ପାଇଁ ଆୟୋଗ ଗଠନ, ୩୦ଦିନ ଭିତରେ ଫସଲହାନୀର କ୍ଷତିପୂରଣ ପ୍ରଦାନ, ନୂତନ ଆମଦାନୀ ରପ୍ତାନୀ ନୀତି ଏବଂ କୃଷିକୁ ଜିଏସ୍‌ଟି ମୁକ୍ତ କରିବାକୁ କଂଗ୍ରେସ ଗ୍ୟାରେଂଟି ଦେଉଛି ବୋଲି କହିଛନ୍ତି ବବିତା ।

ଏଥିସହ ମହିଳାମାନଙ୍କୁ ନ୍ୟାୟ ଓ ସେମାନଙ୍କ ଅଧିକାର ପ୍ରଦାନ ପାଇଁ କଂଗ୍ରେସ ବିଶେଷ ଧ୍ୟାନ ଦେଇଛି । ମହାଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ୧ଲକ୍ଷ ଟଙ୍କା ପ୍ରଦାନ, କେନ୍ଦ୍ର ସରକାରଙ୍କ ନୂତନ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ, ଆଶା, ଅଙ୍ଗନବାଡି ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କ ଦରମା ଦୁଇଗୁଣ କରିବା, ପ୍ରତି ପଂଚାୟତରେ ଅଧିକାର ମିତ୍ର ନିଯୁକ୍ତି, କର୍ମଜୀବୀ ମହିଳାଙ୍କ ପାଇଁ ୨ଗୁଣ ଅଧିକ ହଷ୍ଟେଲ ନିର୍ମାଣ କରାଯିବ । ସେହିପରି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୪୦୦ ଟଙ୍କା କରିବା, ସେମାନଙ୍କୁ ୨୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ, ଜୀବନ ବୀମା ଓ ରୋଜଗାର ସୁରକ୍ଷା ପ୍ରଦାନ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ ବୋଲି ଶ୍ରୀମତି ଶର୍ମା କହିଛନ୍ତି ।