Onn 3

ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ

State

ଭୁ‌ବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ସୂର୍ଯ୍ୟଦେବତା ପ୍ରଭାବ ଦେଖାଇଛନ୍ତି। ଅର୍ଥାତ ଆଜି ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗତକାଲି ଭଳି ଆଜି ମଧ୍ୟ ସକାଳ ସାଢ଼େ ୮ଟା ବେଳକୁ ଟାଇଁ ଟାଇଁ ଖରା ହୋଇଥିଲା। ଶରୀରରୁ ଗମ୍‌ଗମ୍‌ ହୋଇ ଝାଳ ବୋହି ଯାଉଥିଲା। ବାହାରକୁ ବାହାରିବା ତ ଦୂରେ ଥାଉ‌; ଘର ଭିତରେ ଥାଇ ମଧ୍ୟ ଅସ୍ତବ୍ୟସ୍ତ ହେବାକୁ ପଡୁଥିଲା।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୪ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ଛୁଇଁଛି। ମାଲକାନଗିରିରେ ୪୩.୨, ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରି ପାରା ପହଞ୍ଚିଛି। ସେହିପରି କଟକରେ ୪୦.୧ ଓ ଭୁବନେଶ୍ବରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଗରମ ବାୟୁ ପ୍ରବାହ ଦ୍ବାରା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୭ ଓ ୮ ତାରିଖରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ। ଏଥିସହ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ବାୟୁ ବଙ୍ଗୋପସାଗରରୁ ଓଡ଼ିଶାକୁ ଆସିବାକୁ ଥିବାରୁ କାଳବୈଶାଖୀ ହୋଇପାରେ। ୭ ତାରିଖରେ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ‌କିଛି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହେବ। ୮ରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ କାଳବୈଶାଖୀ ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି ଯେ ଶନିବାର ମଧ୍ୟ ରାଜ୍ୟରେ ଗରମ ଜାରି ରହିବ। ଭୁବନେଶ୍ବର, କଟକ, ପାରାଦୀପ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ସର୍ବାଧିକ ତାପମାତ୍ରା ବଢ଼ିବ କିମ୍ବା ଅପରିବର୍ତ୍ତିତ ରହିବ। ତେବେ ୭ ତାରିଖରୁ ଅଭ୍ୟନ୍ତରୀଣ ଓ ଉପକୂଳରେ ପାଗରେ ପରିବର୍ତ୍ତନ ଆସିବ। ବଙ୍ଗୋପସାଗରରେ ଲେଉଟାଣି ବାତ୍ୟା ଦ୍ବାରା ଦକ୍ଷିଣା ପବନ ମଧ୍ୟ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ। ଆର୍ଦ୍ର ଓ ଶୁଷ୍କ ବାୟୁର ମିଶ୍ରଣ ଯୋଗୁଁ ଉପର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଯିବ। ଫଳ‌ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ୭ ଓ ୮, ୧୦ ଓ ୧୧ ଏବଂ ୧୩ ଓ ୧୪ ତାରିଖରେ ତିନୋଟି ପର୍ଯ୍ୟାୟରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ।