Onn 3

ଦିନକ ଭିତରେ ବିଜେଡି ଛାଡ଼ିଲେଣି ଦୁଇ ବିଧାୟକଙ୍କ ସମେତ ୬ ଜଣ, ଶଙ୍ଖ ଫୁଙ୍କିବେନି ରମେଶ ସାଏ

State

ଭୁବନେଶ୍ବର/ଆଠମଲ୍ଲିକ: ଜଣକ ପରେ ଜଣେ ବିଜେଡି ନେତା ଦଳ ଛାଡୁଛନ୍ତି। ଧୀରେଧୀରେ ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ବିଦ୍ରୋହର ତୀବ୍ର ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡି ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।
ଇସ୍ତଫା ପତ୍ରରେ ଶ୍ରୀ ସାଏ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ରେ ବିଜେଡିରୁ ଟିକେଟ୍‌ ଦିଆଯିବା ପରେ ମୁଁ ନିର୍ବାଚନରେ ଜିତିଥିଲି। ରେକର୍ଡ ୪୭ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲି। ବିଗତ ୫ ବର୍ଷ ହେଲା ବିଜେଡିରେ କାମ କରି ଖୁସି ଅନୁଭବ କରିଛି। ଏଥିରୁ ମତେ ବହୁତ ଶିକ୍ଷା ମଧ୍ୟ ମିଳିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ମୁଁ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ଭାବୁଛି। ତେଣୁ ‌ବିଜେଡିରୁ ମୋର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଉଛି।
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ରମେଶ ଚନ୍ଦ୍ର ସାଏ ୨୦୧୯ ନିର୍ବାଚନରେ ବିଜେଡି ଟିକେଟ୍‌ରେ ଲଢ଼ି ୮୬,୨୫୪ ଖଣ୍ଡ ଭୋଟ୍‌ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାଗିରଥୀ ପ୍ରଧାନ ୩୯,୦୭୦ ଖଣ୍ଡ ଭୋଟ୍‌ ପାଇଥିଲେ। ଶ୍ରୀ ସାଏ ୪୭,୧୮୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ତଥାପି ଶ୍ରୀ ସାଏଙ୍କ ଉପରେ ବିଜେଡି ବିଶ୍ବାସ ରଖିଲା ପାଇଁ। ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି।
ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ବିଜେଡି ଏପର୍ଯ୍ୟନ୍ତ ୯୯ଟି ଆସନରେ ପ୍ରାର୍ଥୀ ଦେଇସାରିଛି। ଆହୁରି ୪୮ଟି ଆସନରେ ପ୍ରାର୍ଥୀ ଦେବ। ତେବେ ବୁଧବାର ସନ୍ଧ୍ୟାରେ ବିଜେଡି ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛାଡ଼ିଛନ୍ତି।