Srimandira

ଶ୍ରୀମନ୍ଦିର ନାଟମଣ୍ଡପ ସଂପୂର୍ଣ୍ଣ ସୁରକ୍ଷିତ : ଏଏସଆଇ

State

ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ ବିପଦ ମୁକ୍ତ ଅଟେ ।

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ । ନାଟମଣ୍ଡପ ବିମ୍ ମରାମତି ହେବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଭକ୍ତ ମାନେ ନିର୍ଭିକ ଭାବେ ଏବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ଭକ୍ତମାନଙ୍କ ଚଳପ୍ରଚଳରେ ମଧ୍ୟ କୌଣସି ବିପଦ ନାହିଁ ।

ସୂଚନାଯୋଗ୍ୟ, ନାଟମଣ୍ଡପ ବିମ୍ ରେ ଫାଟ ହେବା ପରେ ଏହାର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ତୁରନ୍ତ ନାଟମଣ୍ଡପର ମରାମତି କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ମଧ୍ୟରେ ଏଦିଗରେ ତତ୍ପରତା ପ୍ରକାଶ ପାଇଥିଲା । ଗତ କାର୍ତ୍ତିକ ମାସରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଗହଳି ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିଲା ।

କାର୍ତ୍ତିକ ମାସ ସରିବାପରେ ଛତିଶା ନିଯୋଗ ସହ ଏକ ବୈଠକ କରାଯାଇ ଏ ବିଷୟରେ ଆଲୋଚନା କରାଯାଇଥିଲା । ଗତ ଫେବୃଆରୀ ଶେଷ ସପ୍ତାହରେ ନାଟମଣ୍ଡପର ମରାମତି କାର୍ଯ୍ୟକୁ ଜୋରଦାର କରାଯାଇଥିଲା । କାର୍ଯ୍ୟ ପାଇଁ ଲୁହାର ଭାରା ସ୍ଥାପନ କରାଯାଇ ମରାମତି କାର୍ଯ୍ୟ ହୋଇଥିଲା ।

ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରାଯାଉଥିଲା । ତେବେ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବା ନେଇ ଏଏସଆଇ ପକ୍ଷରୁ ସୂଚନା ରହିଛି ।