Capture

ପିଇଓଙ୍କଠାରୁ ୪.୬୪ ଲକ୍ଷ ଟଙ୍କା ଲୁଟ୍‌

Crime State

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥର ଦନ୍ଦରା ନିକଟରେ ବଙ୍ଗୋମୁଣ୍ଡା ପଞ୍ଚାୟତର ପିଇଓ ସତ୍ୟ କୁମାର ଘିଭେଲାଙ୍କଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ଜଣେ ସହଯୋଗୀ ଆଜି ବଙ୍ଗୋମୁଣ୍ଡା ସ୍ଥିତ ଏସ୍‌ବିଆଇକୁ ଯାଇଥିଲେ। ସେଠାରୁ ସତ୍ୟ କୁମାର ଘିଭେଲା ୪ ଲକ୍ଷ ୬୪ ଟଙ୍କା ଉଠାଇଥିଲେ। ଆସନ୍ତାକାଲି ଭତ୍ତା ଦେବାକୁ ସେ ଏହି ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ସେ ବାଇକ୍‌ ଯୋଗେ କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ।

ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ସହଯୋଗୀ ବାଇକରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଆପାଚିରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ସତ୍ୟ କୁମାର ଘିଭେଲାଙ୍କ ଚଳନ୍ତା ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ସତ୍ୟ କୁମାର ଘିଭେଲା ଓ ତାଙ୍କ ସହଯୋଗୀ ପଡ଼ି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ବାଇକ୍ ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।

ପିଇଓ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।