Capital Hospital

ସାରା ଦେଶରେ ନମ୍ବର-୧ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ

State

ଭୁବନେଶ୍ବର: ଓଡ଼ିଶାର ନମ୍ୱର-୧ ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ କୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ୱାସ୍‌‌) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି । ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ୍ ହସ୍ପିଟାଲକୁ ନମ୍ୱର-୧ ହସ୍ପିଟାଲ ଭାବେ ଚୟନ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୩ ଜୁଲାଇ ୭ ତାରିଖରେ ଏନ‌କ୍ୱାସ୍‌‌ ଟିମ୍‌‌ କ୍ୟାପିଟାଲ୍ ହସ୍ପିଟାଲ୍ ଗସ୍ତ କରି ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ୩ ଦିନ ଧରି ବିସ୍ତୃତ ଭାବେ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲା ଟିମ୍ ।

ଏହି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନକ୍ୱାସ ଟିମ୍‌‌ ସନ୍ତୁଷ୍ଟ ହୋଇ ମାର୍କ ପ୍ରଦାନ କରିଥିଲା । ଯାହାଫଳରେ ଏନ‌କ୍ୱାସ ସାର୍ଟିଫିକେଟ୍‌‌ ଲାଗି କ୍ୟାପିଟାଲ ହସ୍ପିଟାଲକୁ ୭୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଏହି ଅର୍ଥରେ ଭିତ୍ତିଭୂମି ଉନ୍ନତି କରାଯିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବ । ହସ୍ପିଟାଲ ଏନକ୍ୱାସ ସାର୍ଟିଫିକେଟ୍‌‌ ବ୍ୟତୀତ ‘ଲକ୍ଷ୍ୟ’ ଓ ‘କାୟାକଳ୍ପ’ ପୁରସ୍କାର ମଧ୍ୟ ହାସଲ କରିଛି ।