Jubati 1

ପ୍ରେମରେ ବିଫଳ ପ୍ରେମିକ ନେଲା ଭୟଙ୍କର ପ୍ରତିଶୋଧ, ଘରେ ପଶି ମାରିଦେଲା ଯୁବତୀଙ୍କୁ

State

ସୋର : ସୋର ଲିଙ୍ଗାପଡା ଗ୍ରାମରେ ଘଟିଛି ଛାତିଥରା ଘଟଣା ।  ପ୍ରେମରେ ବିଫଳ ହୋଇ ଅତି ଜଘନ୍ୟ କାଣ୍ଡ ଘଟାଇଲା ପ୍ରେମିକ । ଯାହା ଖବର ମିଳିଛି କି, ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା । ଯିଏକି ବିଏ ପାସ୍ ପରେ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୈରବପୁର ଗ୍ରାମର ବିଶ୍ୱନାଥ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳୁ, ସୋର କଲେଜ ପଢୁଥିବା ବେଳଠୁ ଜ୍ୟୋର୍ତିମୟୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ହେଲେ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ହେବାରୁ ଜ୍ୟୋର୍ତିମୟୀ ଲିଙ୍ଗାପଡା ଘରକୁ ଚାଲି ଆସିଥିଲେ ।

ତେବେ  ଗତ ଦୁଇ ଦିନ ତଳେ ଜ୍ୟୋର୍ତିମୟୀଙ୍କ ପରିବାର ପକ୍ଷରୁ ବିଶ୍ୱନାଥ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ଯାହାକୁ ନେଇ ଆଜି ବିଶ୍ୱନାଥ ଜ୍ୟୋର୍ତିମୟୀଙ୍କ ଘରେ ପଶି ତାଙ୍କ ବେକକୁ ଏକ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଛି l

ମୃତ ଜ୍ୟୋର୍ତିମୟୀଙ୍କ ପଡୋଶୀଙ୍କ ସୂଚନା ମୁତାବକ, ଆଜି ସକାଳ ୧୧ଟାରେ ପ୍ରଥମେ ବିଶ୍ୱନାଥ ରାସ୍ତାରେ ଛିଡା ହୋଇ ପରିସ୍ଥିତି ନିରୀକ୍ଷଣ କରିଥିଲା । ଏହାପରେ ସକାଳେ ଜ୍ୟୋର୍ତିମୟୀଙ୍କ ବାପା ମନୋରଞ୍ଜନ କାର୍ଯ୍ୟକ୍ଷେତ୍ରକୁ ଚାଲିଥିଲେ । ତାଙ୍କ ପଛେ ପଛେ ମାଆ ମଧ୍ୟ ଘରୁ ସ୍କୁଲକୁ ରୋଷେଇ କାର୍ଯ୍ୟ ପାଇଁ ବାହାରି ଯାଇଥିଲେ । ଯାହାର ସୁଯୋଗ ନେଇ ବିଶ୍ୱନାଥ ଜ୍ୟୋର୍ତିମୟୀଙ୍କ ଘର ଭିତରେ ପଶିଥିଲା ଏବଂ ଆଖିପିଛୁଳାକେ  ଜ୍ୟୋର୍ତିମୟୀଙ୍କ ବେକକୁ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେବା ସହିତ ତାଙ୍କର ମୋବାଇଲ ନେଇ ଫେରାର ମାରିଥିଲା ।

ଏପଟେ ଜ୍ୟୋର୍ତିମୟୀ ଗୁରୁତର ଅବସ୍ଥାରେ ଚିତ୍କାର କରୁଥିବା ବେଳେ ପଡୋଶୀ ମାନେ ପହଞ୍ଚି ଜ୍ୟୋର୍ତିମୟୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୂର୍ବରୁ ବିଶ୍ୱନାଥ ପ୍ରେମରେ ବିଫଳ ହୋଇ ମୃତ ଜ୍ୟୋର୍ତିମୟୀର ବାପକୁ ହତ୍ୟା ଧମକ ଦେବା ସହିତ ଜ୍ୟୋର୍ତିମୟୀ ଉପରେ ଏସିଡି ପକାଇବାକୁ ଧମକ ଦେଇଥିଲା । ଯାହାକୁ ନେଇ ଗତ ୨୨ ତାରିଖରେ  ବିଶ୍ୱନାଥ ନାମରେ ଜ୍ୟୋର୍ତିମୟୀ ସୋର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଠିକ୍ ସମୟରେ କିଛି ପଦକ୍ଷେପ ନେଇଥିଲା । ଯାହାଫଳରେ ଆଜି ଘଟିଗଲା ଏତେ ବଡ଼ ଅଘଟଣ ।

ଯଦି ପୋଲିସ୍ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ହୁଏତ ନିଶ୍ଚିତ ଭାବେ ଏହି ଅଘଟଣକୁ ରୋକାଯାଇ ପାରିଥାନ୍ତା । ତେବେ ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଏବେ ଖେଳାଇ ଦେଇଛି ଚାଞ୍ଚଲ୍ୟ । ତୁରନ୍ତ ଅଭିଯୁକ୍ତକୁ ଧରିବା ସହ ଜ୍ୟୋର୍ତିମୟୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ପରିବାର ଲୋକଙ୍କ ସମେତ ଗ୍ରାମବାସୀ  ।