Ling

ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

State

ଭୁବନେଶ୍ଵର: ଏବର୍ଷ ବି ହୋଇପାରିଲା ନାହିଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ବର୍ଷର ପରମ୍ପରା ପ୍ରସିଦ୍ଧ ହାଣ୍ଡିଭଙ୍ଗା ଯାତ୍ରା । ୨୦୧୫ରୁ ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ ହେବ ବୋଲି ପ୍ରଶାସନ କହିବା ସହ ଉଦ୍ୟମ ଆରମ୍ଭ କରିଥିଲା। ସର୍କିଟ ହାଉସରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ଅଧିକାରୀ ଏବଂ ସେବାୟତଙ୍କୁ ନେଇ ବୈଠକ ମଧ୍ୟ ବସିଥିଲା। ହେଲେ ସେବାୟତଙ୍କ ମଧ୍ୟରେ ରହିଥିବା ସେହି ପୁରୁଣା ବିବାଦର ସମାଧାନ ନ ହେବାରୁ ଶେଷରେ ପ୍ରଶାସନର ସବୁ ଚେଷ୍ଟା ବିଫଳ ହୋଇଛି। ଶ୍ରୀଜୀଉଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତି ମଧ୍ୟ ବନ୍ଦ ରହିଥିଲା।

ପ୍ରତ୍ୟେକ ବର୍ଷ ମହାଶିବରାତ୍ରି ପରେ ପ୍ରଥମ ଶନିବାର ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହିଦିନ ଶ୍ରୀଜୀଉମାନେ କପିଳେଶ୍ୱରସ୍ଥିତ ଶ୍ରୀକପିଳେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି। ମାତ୍ର କପିଳେଶ୍ୱର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ ଏହି ଯାତ୍ରାରେ ୯ବର୍ଷ ହେଲା ବିଭ୍ରାଟ ସୃଷ୍ଟି ହୋଇଛି। ଯାତ୍ରା ବନ୍ଦ ହେବା ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ କପିଳେଶ୍ବର ମହାଦେବଙ୍କ ମିଳନ ହୋଇ ପାରୁନାହିଁ। ଯାତ୍ରାରେ ସେବାୟତମାନେ ଅଂଶଗ୍ରହଣ କରି ନଥିବାରୁ ଗତକାଲି ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା‌ ୫ଟାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ତେଣୁ ଠାକୁର ଗୋଟିଏ ଓଳି ଖାଡ଼ା ଉପାସ ରହିଥିଲା । ଆଜି ସକାଳ ନୀତି ପରେ ସାହାଣ ମେଲା ଦର୍ଶନ ହୋଇଥିଲା।

ସୂଚନା ଅନୁସାରେ, ଜାଗର ଯାତ୍ରା ପରର ପ୍ରଥମ ଶନିବାରଦିନ ଠାକୁରଙ୍କ ମଧ୍ୟାନ୍ନ ଧୁପ ପରେ ମନ୍ଦିରର ପହଡ଼ ପଡିଥାଏ । ଏହା ପରେ ସୁଆର, ବଡୁ, ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତଙ୍କ ଉପସ୍ଥିତିରେ ବାବା ଲିଙ୍ଗରାଜଙ୍କ ସମେତ ପାର୍ବତୀ, ଦୁର୍ଗା ଓ ବସୁଦେବ ପାଲିଙ୍କିରେ ଘଣ୍ଟ, ଘଣ୍ଟା, କାହାଳୀ, ମଶାଲ, ଧଳାଛତା, କଳାଛତା, ତ୍ରାସ ଓ ପାରମ୍ପରିକ ବାଦ୍ୟ ବଜାଇ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାତ୍ରା କରିଥାଆନ୍ତି । କପିଳେଶ୍ଵର ମନ୍ଦିରରେ ପହଞ୍ଚିବା ପରେ ସେବାୟତଙ୍କ ଦ୍ୱାରା ବରଣ କରାଯାଏ । ଏହା ପରେ ହଜାରି ମଣ୍ଡପକୁ ସମସ୍ତ ଦେବଦେବୀ ବିଜେ କରିଥାଆନ୍ତି । ଶେଷରେ ଶ୍ରୀକପିଳେଶ୍ୱରଙ୍କ ସହ ଭେଟ ଆଳତି କରି ଶ୍ରୀଜିଉ ମେଲାଣି ନିଅନ୍ତି । ଫେରିଲା ବେଳେ ହାଟ ପାଖରେ ଥିବା ଐଶେନେଶ୍ୱର ମନ୍ଦିରରେ କିଛି ସମୟ ଅତିବାହିତ କରି ମନ୍ଦିରକୁ ପ୍ରବେଶ କରିବେ।