Bjp 1710338752

ଆସିଲା ବିଜେପିର ୨ୟ ପ୍ରାର୍ଥୀ ତାଲିକା, ଖଟ୍ଟର ଓ ଗଡକରୀଙ୍କୁ ମିଳିଲା ଟିକେଟ, ତାଲିକାରେ ଓଡ଼ିଶାର ନାଁ ନାହିଁ

National & International

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ରହିଛି ।  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରରୁ ନୀତିନ ଗଡକରୀ ଏବଂ କର୍ନାଲରୁ ମନୋହର ଲାଲ ଖଟ୍ଟର । ତେବେ ପ୍ରଥମ ତାଲିକା ଭଳି ଦ୍ବିତୀୟ  ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ ।

ଦିଲ୍ଲୀର ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀରୁ ଏବଂ ଯୋଗେନ୍ଦ୍ର ଚାନ୍ଦୋଲିଆଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ୍ ଦିଆଯାଇଛି। ସେହିପରି କଳାବେନ ଡେଲକରଙ୍କୁ ଦାଦ୍ରା ନଗର ହାବେଲିରୁ ଟିକେଟ ମିଳିଛି ।

ସୋମବାର ରାତିରେ ଦଳର ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଜେପି ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣା ର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା ।

ଗତ ମାର୍ଚ୍ଚ ୨ ତାରିଖରେ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ବିଜେପି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି।