Image 2024 03 06t160537.226

ଆଜି ପଙ୍କୋଦ୍ଧାର ଏକାଦଶୀ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଲୋକନାଥ

Religion and Cult State

ପୁରୀ: ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଆଜି ପୁରୀ ରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ତ୍ବ ରହିଛି । ବିଳମ୍ବିତ ରାତି ୨ ଟାରେ ପ୍ରଭୁ ଶ୍ରୀ ଲୋକନାଥଙ୍କ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ରାତ୍ର ୩ ଟା ରୁ ମନ୍ଦିର ଗମ୍ଭିରାରେ ବର୍ଷତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢ଼ାଯାଇଥିଲା । ଏହି ପଙ୍କ କଢାରେ ନିୟୋଜିତ ହୋଇଥିଲେ ସେବାୟତ ଓ ଭକ୍ତ ।

ଏହାପରେ ଲୋକନାଥଙ୍କୁ ମହାସ୍ନାନ କରାଯିବା ପରେ ସକାଳ ୭ ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଭକ୍ତମାନେ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଖୁସି ପ୍ରକଟ କରିବା ସହ ନିର୍ଗତ ପଙ୍କକୁ ଦେହରେ ବୋଳି ସକଳ ରୋଗ ଦୂର ହେବାର ବିଶ୍ୱାସ ରହିଥିବା ଭକ୍ତମାନେ କହିଛନ୍ତି । ଅନ୍ୟପଟେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ । ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଆଜିର ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ସେପଟେ ଦିନକପରେ ମହାଶିବରାତ୍ରି ବା ଜାଗର । ଦୀପ ଜାଳି ଉଜାଗର ହୋଇ ଲୋକନାଥଙ୍କୁ ସ୍ମରଣ କଲେ ସମସ୍ତ ମାନସିକ ମନସ୍କାମନା ପୂରଣ ହୋଇଥାଏ । ଜାଗର ଯାତ୍ରା ପାଇଁ ମଧ୍ୟ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥ ପୀଠରେ ଆସନ୍ତା 8 ତାରିଖ ଜାଗର ଦିନ ରାତ୍ର ୧୨ ଟା ୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ ରୁ ରାତ୍ର ୨ ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି, ରାତ୍ର ୩ ଘଟିକାରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଜାଗର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ 8 ପ୍ଲାଟୁନ ଫୋର୍ସ ଓ ଆବଶ୍ୟକ ପଡିଲେ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ଅତରିକ୍ତ ଏସପି କହିଛନ୍ତି । ତେବେ ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଛନ୍ନତା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଜାଗର ଦିନ ଗ୍ରହଣ କରାଯିବ ।

ତେବେ ଲୋକନାଥଙ୍କ ମନ୍ଦିରର ସେବାୟତ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ଉଭୟ ପରସ୍ପର ସହ ସମନ୍ୱୟ ରକ୍ଷାକରି ଜାଗର ଯାତ୍ରାକୁ ସୁପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଯାହାକୁ ନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି ।