B 1 750x430

ପଦ୍ମଧରିଲେ ନାଲକୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ

Politics State

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତି ଦଳ ନିଜ ନିଜର ବହୁମତ ପାଇଁ ଆସନ ହାତେଇବାକୁ ପ୍ରସ୍ତୁତ ହେଉଛନ୍ତି  । ଏହି ସମୟରେ କିଛି ନେତା କର୍ମୀଙ୍କ ଦଳ ଅଦଳବଦଳ ମଧ୍ୟ ଜାରି ରହିଛି । ଲଗାତାର କିଛି ଦିନ ହେବ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଆଜି ବିଜେପିରେ ଯୋଗଦେଇଛନ୍ତି ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ତପନ ଚାନ୍ଦ ପଦ୍ମ ଧରିଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନେମାହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

୮୦ ଦଶକରେ ତପନ ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଏବଂ ବିଜେପି ସହିତ ଜଡିତ ଥିଲେ । ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ୍ ର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ୩ ଦଶନ୍ଧିରୁ ଅଧ‌ିକ ସମୟ ଧରି ସେ ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲ୍‌କୋ ଭଳି ବୃହତ ଶିଳ୍ପ ସଂସ୍ଥାରେ ଡାଇରେକ୍ଟର ଏବଂ ଚେୟାରମ୍ୟାନ୍ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ସଂହତି, ସ୍ୱଚ୍ଛତା ଏବଂ ଉତ୍ସର୍ଗ ମନୋଭାବ ନେଇ ତପନ ଚାନ୍ଦ ସେଣ୍ଟ୍ରାଲ କୋଲ୍, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲ୍‌କୋରେ ନିଜ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ସମସ୍ତଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତପନ ଚାନ୍ଦ ନାଲ୍‌କୋକୁ ଏକକ  କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତ୍ତନ କରିଥିଲେ । କଷ୍ଟିକ୍ ସୋଢ଼ା ପ୍ଲାଣ୍ଟ୍ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ର ସଫଳ ପ୍ରତିଷ୍ଠା ତାଙ୍କର ଅନ୍ୟତମ ଅବଦାନ ।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ସେ କାର୍ଯ୍ୟକାରୀ କରିଛନ୍ତି । ତପନ ଚାନ୍ଦ ନାଲ୍‌କୋକୁ ବିଶ୍ୱସ୍ତରୀୟ କରିବା ସହ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନ ଖର୍ଚ୍ଚ କ୍ଷେତ୍ରରେ ଏକ ନମ୍ବର କମ୍ପାନୀରେ ପରିଣତ କରିଥିଲେ । କୋଇଲା ଇସ୍ପାତ ଏବଂ ଆଲୁମିନା କ୍ଷେତ୍ରରେ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ତପନ ଚାନ୍ଦ ଖୁବ୍ ଲୋକପ୍ରିୟ । ତାଙ୍କର ଅଧ୍ଯକ୍ଷ କାର୍ଯ୍ୟକାଳ ମଧ୍ୟରେ ନାଲକୋ ପକ୍ଷରୁ ଓଡ଼ିଶାର ସାଂସ୍କୃତିକ ବୈଭବର ବିକାଶ ଏବଂ ବ୍ୟାପକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ଏବେସୁଦ୍ଧା ତାଙ୍କୁ ମନେ ରଖୁଛନ୍ତି । ପ୍ରଥମ ଥର ପାଇଁ ସେ ବରିଷ୍ଠ ନାଗରିକ, ଅସୁସ୍ଥ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଜଗନ୍ନାଥ ମନ୍ଦିରକୁ ନେବା ପାଇଁ ବ୍ୟାଟେରି ଚାଳିତ ଗାଡି ପ୍ରଚଳନ କରିଥିଲେ । ସେହିପରି ସ୍ୱଚ୍ଛଭାରତ ଅଭିଯାନ ପାଇଁ ସେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ତପନ ଚାନ୍ଦ ପଶ୍ଚିମ ୟୁରୋପ୍ ଏବଂ କୁଇନ୍ସ ଲ୍ୟାଣ୍ଡ ୟୁନିଭରସିଟି ଅଫ୍ ଟେକ୍‌ନୋଲୋଜି, ବ୍ରିସ୍‌ବେନ୍, ଅଷ୍ଟ୍ରେଲିଆରେ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଟ୍ରେନିଂ ନେଇଥିଲେ । ବର୍ତମାନ ସେ ବେଦାନ୍ତ ଭଳି ତୁଙ୍ଗ ବହୁରାଷ୍ଟ୍ରୀୟ କମ୍ପାନୀର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆଇଆଇଏମ୍ ପରଫରମାନ୍ସ ଇଭାଲୁଏସନ୍ କମିଟିର ସଦସ୍ୟ ମଧ୍ଯ ରହିଛନ୍ତି ।