Adarsa Bidyalaya Saikhya Kale Bidhayaka

ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପାଠପଢାରେ ଶୁଣ୍ଢିପିଣ୍ଡା; ଅଭିଭାବକ ଅସନ୍ତୋଷ

State

୪ବର୍ଷ ପରେବି ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ସରୁନି ; ବିଧାୟକଙ୍କ ସମୀକ୍ଷା
ନିଶ୍ଚିନ୍ତକୋଇଲି :ନିଶ୍ଚିନ୍ତକୋଇଲି ଆଦର୍ଶ ବିଦ୍ୟାଳୟରେ ପାଠପଢାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ଗତ ୧୫ଦିନ ହେବ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ନିମନ୍ତେ ବସିବା ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଜଣାଯାଇଛି । ଶିକ୍ଷାଦାନରେ ବ୍ୟତିକ୍ରମ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ଅଭିଯୋଗ ପାଇବା ପରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଆଦର୍ଶ ବିଦ୍ୟାଳୟ କୁ ଯାଇ ଏହାର କାର୍ଯ୍ୟ କେବେ ଶେଷ ହେବ ସେ ନେଇ ଏକ ସମୀକ୍ଷା କରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଧୀମାରେ ଚାଲିଥିବାରୁ ଏହା ଶେଷ ହେବାପାଇଁ ୨ବର୍ଷ ଲାଗିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସମୀକ୍ଷାରୁ ଜଣାଯାଇଛି । କାରଣ ବିଦ୍ୟାଳୟର ଶ୍ରେଣୀଗୃହ ,ପରିମଳ ବ୍ୟବସ୍ଥା,ଆଲୋକୀକରଣ,କାର୍ଯ୍ୟ ଶେଷ ହେବାର ନଥିବା ବେଳେ ଏହାର ପାରିପାଶ୍ୱିର୍କ ବାଉଣ୍ଡରୀ ,ଖେଳପଡ଼ିଆ,ରୋଷେଇଘର ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇନାହିଁ । ବର୍ତ୍ତମାନ ଏହି ବିଦ୍ୟାଳୟଟି ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଲୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଅସୁରେଶ୍ୱର ହାଇସ୍କୁଲକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ଯାହାଦ୍ୱାରା ଶ୍ରେଣୀଗୃହର ଅଭାବ ହେବାରୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅପରିତ୍ୟକ୍ତ ପ୍ରାଥମିକ ବିଦ୍ୟାଳୟ, କେତେବେଳେ ଅର୍ଦ୍ଧନିର୍ମିତ କ୍ଲବ ଘରେ ତଳେ ବସାଯାଇ ଶିକ୍ଷକ ମାନେ ପାଠ ପଢାଇଛନ୍ତି । ଏଭଳି ହେବା ଦ୍ୱାରା ଏହି ବିଦ୍ୟାଳୟଟି ସମ୍ପୂର୍ଣ୍ଣ ସରକାରୀ ନିତିନିୟମ ଉର୍ଦ୍ଧ୍ୱରେ ଚାଲୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି । ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ ବିଦ୍ୟାଳୟରେ ପ୍ରତ୍ୟେକ ଦିନ ୬ଘଣ୍ଟା ପାଠ ପଢାଯିବା କଥା, ହେଲେ ଏଠାରେ ମାତ୍ର ଦିନକୁ ୨ଘଣ୍ଟା ପାଠପଢାଯାଉଛି । ଏହାଛଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ,ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା,ଶାରିରୀକ ଶିକ୍ଷା, ସହଶୈକ୍ଷିକ ଦିଗରେ ବ୍ୟବହାରିକ ଜ୍ଞାନ ଓ ବୁଦ୍ଧିର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା,ସଠିକ୍ ଭାବେ ହେଉନଥିବା ବେଳେ ନିୟମିତ ଅଭିଭାବକ ବୈଠକ ମଧ୍ୟ ହେଉନାହିଁ । ସରକାର ଆଦର୍ଶ ବିଦ୍ୟାଳୟ ରେ ଇଂରାଜ ମାଧ୍ୟମରେ ମାଗଣା ଶିକ୍ଷାଦାନ ଓ ହଷ୍ଟେଲ ର ବ୍ୟବସ୍ଥା କରି ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯାଉଥିବା ଡ଼ିଣ୍ଡିମ ପିଟୁଥିବାବେଳେ ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀମାନେ ଏସବୁଠାରୁ ବହୁ ଦୂରରେ ରହୁଛନ୍ତି ଏବଂ ଅଭିଭାବକ ମାନେ ପ୍ରତ୍ୟେକ ମାସରେ ଗାଡ଼ିଭଡ଼ା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ହାତରୁ ଅର୍ଥ ଖର୍ଚ୍ଚ କରି ନୟାନ୍ତ ହୋଇଗଲେଣି । ଅପରପକ୍ଷରେ ସ୍କୁଲଗୃହ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଓ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନେ ଏକ ସରଳରେଖାରେ ଗତି କରୁଥିବାରୁ ୪ବର୍ଷ ହେବ ନିର୍ମାଣ କାର୍ଯ୍ୟ ଶେଷ ହେଉନି । ମାର୍ଚ୍ଚ ୫ତାରିଖ ମଧ୍ୟରେ ବିଦ୍ୟାଳୟ ଚାଲିବାପାଇଁ ଆବଶ୍ୟକ ଥିବା ୬ଟି ଶ୍ରେଣୀଗୃହ ,ଗୋଟିଏ ଅଫିସ ଗୃହ ଓ ପରିମଳ ବ୍ୟବସ୍ଥା,ପାନୀୟଜଳ ବ୍ୟବସ୍ଥା ଶେଷ କରିବା ପାଇଁ ବିଧାୟକ ଶ୍ରୀ ଜେନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଠିକା ସଂସ୍ଥା ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୫ତାରିଖ ଦିନ ହସ୍ତାନ୍ତର କଲେ ୬ ତାରିଖ ଠାରୁ ଏହି ଠାରେ ପାଠପଢା ହେବ ବୋଲି ଜଣାଯାଇଛି । ବିଧାୟକଙ୍କ ସମୀକ୍ଷା ପରେ ତାଙ୍କର ନିର୍ଦ୍ଦେଶକୁ ଠିକା ସଂସ୍ଥା ଓ କାର୍ଯ୍ୟ ତଦାରଖ ଅଧିକାରୀ ମାନେ କେତେଦୂର କାର୍ଯ୍ୟକାରୀ କରିବେ ସେ ନେଇ ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ ଚଳିତ ବର୍ଷ ଯଦି ଏହି ନୂୂତନ ଗୃହରେ ପାଠ ପଢା ନହୁଏ ତାହେଲେ ନୂତନ ପିଲା ନାମ ଲେଖାଇବା କଷ୍ଟକର ହୋଇପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛିି ।