M Badruddin Ajmal.jpg

ଆସାମରେ ୟୁସିସି ଲାଗୁ କଲେ ବିଜେପିର ମୃତ୍ୟୁହେବ : ବଦରୁଦ୍ଦିନ ଅଜମଲଙ୍କ ଚେତାବନୀ

National & International

ଗୁଆହାଟୀ: ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଆଡକୁ ଅଗ୍ରସର ହୋଇଛନ୍ତି। ମୁସଲମାନ ବିବାହ ଓ ଛାଡ଼ପତ୍ର ଆଇନ ୧୯୩୫ଉଚ୍ଛେଦ ପ୍ରସ୍ତାବକୁ ଫେବ୍ରୁଆରି ୨୩ରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଥିଲା। ଏହାକୁ ୟୁସିସି କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପ୍ରୟାସ ଭାବେ ଦେଖାଯାଉଛି।
ଏହାକୁ ନେଇ ଏଆଇୟୁଡିଏଫ୍ ମୁଖ୍ୟ ତଥା ସାଂସଦ ବଦରୁଦ୍ଦିନ ଅଜମଲ ରାଜ୍ୟରେ କଡ଼ା ଚେତାବନୀ ଦେଇଛନ୍ତି। ଆସାମରେ ୟୁସିସି ଲାଗୁ ହେଲେ ବିଜେପି ମରିଯିବ ବୋଲି ସେ କହିଛନ୍ତି। ଆସାମ ସରକାରଙ୍କୁ ଟାର୍ଗେଟ କରି ଅଜମଲ କହିଛନ୍ତି, ସେମାନେ ମୁସଲମାନମାନଙ୍କୁ ଉତ୍ତେଜିତ କରି ସେମାନଙ୍କ ଭୋଟ୍ ଧ୍ରୁବୀକରଣ କରିବାକୁ ଚାହୁଁଛନ୍ତି। ମୁସଲମାନମାନେ ଏହା ହେବାକୁ ଦେବେ ନାହିଁ। ୟୁସିସି ଆଇନ ଆଣିବା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ। କିନ୍ତୁ ଏହା ମାଧ୍ୟମରେ ଆସାମରେ ବିଜେପି ସରକାର ଶେଷ ହୋଇଯିବ।
ଏହା ପୂର୍ବରୁ ଉତ୍ତରାଖଣ୍ଡ ସରକାର କିଛି ସପ୍ତାହ ତଳେ ରାଜ୍ୟରେ ୟୁସିସି ଲାଗୁ କରିଥିଲେ। ଉତ୍ତରାଖଣ୍ଡ ହେଉଛି ଭାରତର ପ୍ରଥମ ରାଜ୍ୟ ଯିଏ ୟୁସିସି କାର୍ଯ୍ୟକାରୀ କରିଛି । ୟୁସିସି କାର୍ଯ୍ୟକାରୀ ହେବା ପରେ ବିବାହ, ଛାଡ଼ପତ୍ର ଓ ଉତ୍ତରାଧିକାରୀ କ୍ଷେତ୍ରରେ ବିଭିନ୍ନ ଧର୍ମ ଆଧାରିତ ଆଇନ ପ୍ରୟୋଗ କରିବାର ପରମ୍ପରା ଶେଷ ହୋଇଛି। ଏହି ସବୁ କ୍ଷେତ୍ରରେ ସବୁ ଧର୍ମର ଲୋକଙ୍କ ପାଇଁ ସମାନ ଆଇନ ଲାଗୁ ହୋଇଥାଏ।