Img 20240221 Wa0186

୪୧୭୨ ଜଣଙ୍କୁ ମିଳିଲା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

State

ବାରିପଦା : ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର I ଏହି ଆହ୍ୱାନରେ ବାରିପଦା ତକତପୁର ସ୍ଥିତ ଏ ପି ଜେ ଅବଦୁଲ କାଲାମ ପଡିଆରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ କୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢେଇ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ଓ ନୂଆ ଓଡିଶାର ଜିଲ୍ଲା ସଂଯୋଜକ ସୁନୀଲ ଦାଶ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ଶିକ୍ଷା କମିଟି ତଥା ସରପଞ୍ଚ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ରଞ୍ଜନ କୁମାର ନନ୍ଦ ଓ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ I

ଏହି ଅବସରରେ ୨୧୦ ଜଣଙ୍କୁ ଜିଲ୍ଲାସ୍ତରୀୟ ଛାତ୍ର ପୁରସ୍କାର, ୨୬୩୨ ଜଣ ବ୍ଲକସ୍ତରୀୟ ଛାତ୍ର ପୁରସ୍କାର, ୧୦୫୫ ଜଣଙ୍କୁ ଲିଡରସିପ ପୁରସ୍କାର, ୭୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର, ୭୧ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର, ୨୩ ଗ୍ରାମ ପଂଚାୟତ ପୁରସ୍କାର, ୨୫ ପୁରାତନ ଛାତ୍ରଛାତ୍ରୀ ପୁରସ୍କାର, ୨୬ ବିଦ୍ୟାଳୟ ଶିକ୍ଷା କମିଟି, ୨୬ ଉଚ୍ଚ ମାଧ୍ୟମିକ ସ୍ତରୀୟ ପ୍ରଧାନ ଶିକ୍ଷକ ପୁରସ୍କାର ତଥା ୨୬ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଶିକ୍ଷକ ପୁରସ୍କାର ସମେତ ମୋଟ ୪୧୭୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଗଲା I ଏମ ଟି କେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I ଅପରାହ୍ନରେ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ସଫଳତା କାମନା କରିଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି ଓ ନିତ୍ୟାନନ୍ଦ ବାରିକ ତଥା ଶ୍ରୀମା ମହିଳା ମହାବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀକାନ୍ତ ରାଉତ, ବାଙ୍ଗିରିପୋଷି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପାତ୍ର ଛାତ୍ରଛାତ୍ରୀ ମାନଙ୍କ ସଫଳ ଜୀବନଯାତ୍ରା ପାଇଁ ପ୍ରେରଣାତ୍ମକ ଉପଦେଶ ଦେଇଥିଲେ I ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ଶାରୀରିକ ଅଧିକାରୀ ଭାଗିରଥି ମଲ୍ଲିକ, ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ନିରଞ୍ଜନ ନାୟକ, ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ସମେତ ସମସ୍ତ ବି ଇ ଓ, ଏ ବି ଇ ଓ, ସମସ୍ତ ସି ଆର ସି ସି, ଶିକ୍ଷକ /ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I