Onn 3

ଫେବ୍ରୁଆରି ୨୮ରୁ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡ଼ିଶା ଗସ୍ତ

State

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି।
ମହାମହିମ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପହଂଚିବେ ଓ ସେଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ ସେ ବାୟୂସେନାର ହେଲିକେପ୍ଟର ଯୋଗେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପହଂଚି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। ରାଇରଙ୍ଗପୁର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ହୋଲିଡେ ହୋମ୍‌ର ଭୂମିପୂଜା କରିବେ। ପରେ କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ା ପରିସର ଓ ଅନୁସୂଚିତ ଜାତି ଓ ଜନଜାତି କେନ୍ଦ୍ରର (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।
ପରଦିନ ଅର୍ଥାତ୍ ୨୯ ଫେବ୍ରୁଆରିରେ ମୟୂରଭଞ ଜିଲ୍ଲାର ଖିଚିଂସ୍ଥିତ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ସେ ଖିଚିଂ ମନ୍ଦିର ପରିସରରେ ଦିବା ୧୦ ଟା ୧୦ରୁ ୧୦ଟା ୪୦ ପର୍ଯ୍ୟନ୍ତ ରହିବେ। ଖିିଚିଂ ମନ୍ଦିର ପରିଦର୍ଶନ ପରେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତା ପରଦିନ ଅର୍ଥାତ୍ ୧ ମାର୍ଚ୍ଚରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ୨ ମାର୍ଚ୍ଚରେ ବ୍ରହ୍ମପୁର ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ ଜନ୍ମମାଟି ଓ କର୍ମଭୂମିକୁ ତାଙ୍କର ତୃତୀୟ ଥର ପାଇଁ ଗସ୍ତ ହେବ। ଏହି ଗସ୍ତ ସମୟରେ ବହୁ ପ୍ରତିକ୍ଷିତ ବାଦାମପାହାଡ-କେନ୍ଦୁଝର ଏବଂ ଗୋରୁମହିଷାଣୀ-ବାଙ୍ଗିରୀପୋଷି ନୂତନ ରେଳପଥର ସମ୍ପ୍ରସାରଣର ପାଇଁ ଉପଖଣ୍ଡ ବାସୀ ଆଶା କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ମୟୂରଭଂଜବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।