Ggw9h6caaaawxf5 750x430

ଜମ୍ମୁ ରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କଲେ ମୋଦୀ

National & International

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଗସ୍ତରେ ଯାଇ ପ୍ରାୟ ୩୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ, ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପ ଗୁଡିକ ଜଡିତ । ସେହିପରି ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ବିକଶିତ ଜାମ୍ମୁ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିବାବେଳେ ଆଇଆଇଟି ଜାମ୍ମୁ ଓ ଆଇଆଇଏମ୍ ଜାମ୍ମୁର ମଧ୍ୟ ଉଦଘାଟନ କରିଛନ୍ତି | ସେହିପରି ଜମ୍ମୁ ଏବଂ କଶ୍ମୀରର ଲୋକମାନଙ୍କୁ ବ୍ୟାପକ, ଗୁଣାତ୍ମକ ଏବଂ ସାମଗ୍ରିକ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜମ୍ମୁର ବିଜୟପୁର (ସାମ୍ବା) ଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଜମ୍ମୁର ଉଦ୍‌ଘାଟନ ମଧ୍ୟ କରିଛନ୍ତି | ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ଏହି ଅନୁଷ୍ଠାନର ଶିଳାନ୍ୟାସ କରିଥିଲେ ଓ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଉଛି ।

୧୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏବଂ ୨୨୭ ଏକର ପରିମିତ ଅଞ୍ଚଳରେ ସ୍ଥାପିତ ଏହି ହସ୍ପିଟାଲରେ ୭୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ୧୨୫ ଆସନ ବିଶିଷ୍ଟ ମେଡିକାଲ କଲେଜ, ୬୦ ଶଯ୍ୟା ବିଶିଷ୍ଟ ନର୍ସିଂ କଲେଜ, ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ବାସଗୃହ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ରାତ୍ରି ଆଶ୍ରୟସ୍ଥଳୀ, ଗେଷ୍ଟ ହାଉସ୍ , ଅଡିଟୋରିୟମ, ସପିଂ କମ୍ପ୍ଳେକ୍ସ ଇତ୍ୟାଦି ସୁବିଧା ରହିଛି । ଏହି ଅତ୍ୟାଧୁନିକ ହସ୍ପିଟାଲରେ କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋ – ଏଣ୍ଟେରୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଏଣ୍ଡୋକ୍ରିନୋଲୋଜି, ବର୍ନସ୍ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ୧୮ଟି ସ୍ପେଶାଲିଟି ଏବଂ ୧୭ଟି ସୁପର ସ୍ପେଶାଲିଟିରେ ଉଚ୍ଚମାନର ରୋଗୀ ସେବା ଯୋଗାଇ ଦିଆଯିବ ।

ସେହିପରି ପ୍ରଧାନମନ୍ତ୍ରୀ ଜମ୍ମୁ ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ଗୃହର ଶିଳାନ୍ୟାସ ମଧ୍ୟ କରିଛନ୍ତି । ୪୦,୦୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାରିତ ହେବାକୁ ଥିବା ଏହି ନୂତନ ଟର୍ମିନାଲ ଗୃହରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ନୂତନ ଟର୍ମିନାଲ ଗୃହ ପରିବେଶ ଅନୁକୂଳ ହେବ ଏବଂ ଏପରି ନିର୍ମାଣ କରାଯିବ , ଯାହା ଏହି ଅଞ୍ଚଳର ସ୍ଥାନୀୟ ସଂସ୍କୃତିକୁ ପ୍ରଦର୍ଶିତ କରିବ । ଏହା ବିମାନ ଚଳାଚଳ ବ୍ୟବସ୍ଥାକୁ ସୁଦୃଢ଼ କରିବ, ପର୍ଯ୍ୟଟନ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରରେ ବନିହାଲ – ଖାରୀ – ସମ୍ବର – ସଙ୍ଗାଲଦାନ (୪୮ କିଲୋମିଟର) ମଧ୍ୟରେ ନୂତନ ରେଳ ଲାଇନ ଏବଂ ନୂତନ ଭାବେ ବିଦ୍ୟୁତିକରଣ ହୋଇଥିବା ବାରମୂଳା – ଶ୍ରୀନଗର-ବନିହାଲ – ସଙ୍ଗଲଦାନ ସେକ୍ସନ (୧୮୫.୬୬ କିଲୋମିଟର) ସମେତ ବିଭିନ୍ନ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମଧ୍ୟ ସମର୍ପିତ କରିଛନ୍ତି ।