Image 1708326719

ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବା ନେଇ ରାଜ୍ଯ କଂଗ୍ରେସର ବୈଠକ

Politics State

ଭୁବନେଶ୍ୱର:ଅନଲାଇନ ଆବେଦନରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିବା ପରେ କଂଗ୍ରେସ ଏବେ କେଉଁ ଯୋଗ୍ୟ ପ୍ରାର୍ଥୀ ବାଛିବା ସେ ନେଇ ଚାଳିଛି ତନାଘନା। ରାଜ୍ୟ କଂଗ୍ରେସର ଟିକେଟ କସରତ ଆଗୁଆ ଟିକେଟ ଦେବା ପାଇଁ ସୋମବାର କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ରହି ତଦାରଖ କରିଛନ୍ତି। ତାଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି।

ଏହି ପ୍ରଗମନ ଆପରେ ଟିକେଟ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ନାଁ, ତାଙ୍କ କାର୍ଯ୍ୟକଳାପ, ଲୋକଙ୍କ ପାଇଁ କରିଥିବା କାମ ପରି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯିବ ଓ ଏହାପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ ବୋଲି ଜଣାଯାଇଛି।

ନିକଟ ଅତୀତରେ କଂଗ୍ରେସ ପଇସା ନେଇ ଟିକେଟ ଦେଉଥିବା ବହୁ ବାର ଆଲୋଚନା କରାଯାଏ। ଯାହାକୁ ରୋକିବା ପାଇଁ ତଥା ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଦଳ ଅନଲାଇନ ଆବେଦନର ବ୍ୟବସ୍ଥା କରିଥିଲା। ଯାହା ପରେ ଅନେକ ଆଶାୟୀ ଏଥିରେ ଆବେଦନ କରିଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ଲାଗି ଟିକେଟ ଘୋଷଣା କରିବ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯାୟ ଟିକେଟ ଘୋଷଣା ହେବ ବୋଲି ସୂଚନା ରହିଛି।