C933b8cd C961 4546 A241 Ea7f65e1bffa

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

State

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ପ୍ରୋତ୍ସାହନ ଓ ଆର୍ଥିକ ଅନୁଦାନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ୨୦୨୩-୨୪ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବାଣୀବିହାର ପରିସରରେ ମା’ ତାଳପଦେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନକୁ ମଶାଲ ଆଣିଥିଲେ । ଏହାପରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ ନେଇ ଘୋଷଣା କରିଥିଲେ ।
ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚାଲୁଥିବା ଓଡ଼ିଶା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ପ୍ରଶଂସନୀୟ ଉଦ୍ୟମ । ଏହା ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବାରେ ସହାୟକ ହେବ । ସେମାନଙ୍କୁ ବହୁ ପରିମାଣରେ ପ୍ରୋତ୍ସାହିତ କରିବ । ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳବି । ଜିିତିବା ମନୋବୃତି ନେଇ ଉଦ୍ୟମ କଲେ ବିଜୟ ନିଶ୍ଚୟ ମିଳିବ । ଦକ୍ଷତାର ବିକାଶ ପାଇଁ ଖେଳିବା ନିହାତି ଜରୁରୀ । ନୂଆ ଶିକ୍ଷାନୀତିରେ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହିତ ବ୍ୟକ୍ତିତ୍ୱ କିଭଳି ବିକାଶ ହୋଇପାରିବ ସେଥିପାଇଁ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି । ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟକଲେ ସମସ୍ତେ ଭବିଷ୍ୟତରେ ଉନ୍ନତି କରିବେ ବୋଲି ପ୍ରକାଶ କରିଥିଲେ ।
ସମ୍ମାନୀତ ଅତିଥି ଅଲମ୍ପିକ କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ କହିଥିଲେ ଯେ କ୍ରୀଡ଼ାରେ ହାରିବା ଓ ଜିତିବା ଏକ ଅଂଶ ହୋଇଥାଏ । ଜଣେ କିଏ ହାରିଲେ ଜଣେ କିଏ ଜିତିବ । ଯିଏ ହାରିଲା ଆହୁରି କିଭଳି ଭଲ କରିବ ସେଥିପାଇଁ ପ୍ରୟାସ ଜାରି ରଖିବ । କଠିନ ପରିଶ୍ରମ ଓ ଅଭ୍ୟାସ ଜାରି ରଖିଲେ ସଫଳତା ମିଳିପାରିବ ବୋଲି କହିଥିଲେ ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ କୁଳସଚିବ ଡ.କାହ୍ନୁଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦେଶକ ଡ.ବିଜୟ କୁମାର ସୁନ୍ଦରରାୟ ବିବରଣୀ ପାଠ କରିଥିଲେ ଏବଂ ଡ.କୀର୍ତ୍ତିରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଦିବସରେ ଜାଭଲିନ ଥ୍ରୋ ଏବଂ ସଟପୁଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଫେବୃଆରୀ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଉଭୟ ବାଣୀବିହାର ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନ ଓ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ବିଜେତା ପ୍ରତିଯୋଗୀଙ୍କୁ ଅର୍ଥରାଶୀ ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।