Onn 3

କିଏ ହେବେ ତୃତୀୟ ପ୍ରାର୍ଥୀ? ଆସନ୍ତାକାଲି ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ

State

ଭୁବନେଶ୍ବର : ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡିର ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି।
ତୃତୀୟ ପ୍ରାର୍ଥୀଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତ ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ବେଶୀ ବଳ ଯୋଗାଇଛି। ବିଜେଡି ଆଜି ନିଜର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଧାୟକଙ୍କ ଉପସ୍ଥିତିରେ ୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛି । ୨୦୧୯ ମସିହା ଭଳି ଅଶ୍ୱିନୀଙ୍କୁ ପୁଣିଥରେ ବିଜେପି ପ୍ରାର୍ଥୀ କରିପାରେ ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୪ତାରିଖରେ ଦଳୀୟ ମୁଖ୍ୟାଳୟକୁ ଯିବା ସହ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ। ଏହାବ୍ୟତୀତ ସ୍ଥାନୀୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ବୈଷ୍ଣବଙ୍କ ଗସ୍ତ କାର୍ଯ୍ୟସୂଚୀରେ ବିଧାନସଭାକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ନେଇ କୌଣସି ଉଲ୍ଲେଖ ନଥିବା କୁହାଯାଉଛି। ତଥାପି ଅଶ୍ୱିନୀ ଓଡ଼ିଶାରୁ ପୁଣିଥରେ ରାଜ୍ୟସଭାକୁ ରିପିଟ୍ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ବିଜେଡି ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ସମ୍ଭାବ୍ୟ ମିଳିତ ପ୍ରାର୍ଥିତ୍ୱକୁ ନାପସନ୍ଦ କରୁଥିବା ଜଣାପଡ଼ିଛି ।