Image 1707532335

ଆରପାରିରେ ରାଣୀ; ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

State

ଭୁବନେଶ୍ବର : ଆଖି ବୁଜିଲେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ। ସେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିିଥିଲେ। ଏହାପରେ ରାତି ୧୨ଟା ୪୪ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି।
ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମୃତଦେହ ତାଙ୍କ ଚେନ୍ନାଇସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପରିବାର ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ସେଠାରୁ ଆଜି ଅପରାହ୍ନରେ ମୃତଦେହ ଚେନ୍ନାଇ ବିମାନବନ୍ଦରକୁ ଯିବ। ସେଠାରୁ ସନ୍ଧ୍ୟାରେ ରାଣୀଙ୍କ ମୃତଦେହ ରାତି ୭ଟାରୁ ୮ଟା ଭିତରେ ଭୁବନେଶ୍ୱରସ୍ଥିତ ବିମାନବନ୍ଦରରେ ପହଞ୍ଚିବ।
ଏହାପରେ ସରକାରୀ କାର୍ଯ୍ୟସୂଚୀ ଅନୁୟାୟୀ, ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ଦଳୀୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ପରେ ମୃତଦେହକୁ ବିଧାନସଭା ପରିସରକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଖଲ୍ଲିକୋଟ ନିଆଯିବ ।
ଖଲ୍ଲିକୋଟସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ଆସନ୍ତାକାଲି ଅପରାହ୍ନ ୪ଟା ଯାଏଁ ରଖାଯିବ । ଏହାପରେ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯିବା ପାଇଁ ଧାର୍ଯ୍ୟ ହୋଇଛି । ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ ଏହି ସୂଚନା ଦେଇଛନ୍ତି ।
ଭି.ସୁଜ୍ଞାନ କୁମାରୀ ଦେଓ କେବଳ ଯେ ବିଧାୟିକା ଥିଲେ ତା ନୁହେଁ, ସମାଜସେବୀ ଓ କୃଷିଜୀବି ଭାବେ ବି ଥିଲା ତାଙ୍କ ସ୍ୱତନ୍ତ୍ର ପରିଚୟ। ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ। ସୁଜ୍ଞାନ କୁମାରୀଙ୍କ ବାପାଙ୍କ ନାମ ରାଜା ଆର.ଭି.ଏମ୍ ନିଳାଦ୍ରୀ ଦେଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ।
୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସୁଜ୍ଞାନ। ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ହୋଇଥିଲେ ବିଧାୟିକା। ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ଯ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ।
ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ ଚତୁର୍ଥ ଥର ପାଇଁ ବନିଥିଲେ ବିଧାୟିକା। ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ପଞ୍ଚମ ଥର ଲାଗି ନିର୍ବାଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁଜ୍ଞାନ। ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହିଆସିଥିଲେ। କିନ୍ତୁ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ।