Onn 3

ନୂଆ ଅଞ୍ଚଳରେ ବାଘ ଚିହ୍ନଟ: ରିପୋର୍ଟ ଆସୁନି, ଉତ୍କଣ୍ଠା ବଢ଼ାଉଛି ଶିମିଳିପାଳ

State

Tiger_1706083086

ଭୁବନେଶ୍ବର: ଓଡ଼ିଶାରେ କେତେ ମହାବଳ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗଣନାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସତ୍ୟ କି? ନା‌ ଅଧିକ ସଂଖ୍ୟକ ମହାବଳ ଓଡ଼ିଶା ଜଙ୍ଗଲରେ ରହିଛନ୍ତି? ଏଭଳି ଦ୍ବନ୍ଦ୍ବ ଉପରୁ ପରଦା ହଟାଇବାକୁ ରାଜ୍ୟ ସରକାର ନିଜସ୍ବ ବାଘ ଗଣନା କରିଛନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ସାରା ରାଜ୍ୟରେ ଗଣନା ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇପାରି ନାହିଁ। ଏବେ ମଧ୍ୟ ବାଘ ଗଣନା ରିପୋର୍ଟକୁ ନେଇ ବନ ବିଭାଗ ମାନସମନ୍ଥନ କରୁଛି। ବିଳମ୍ବ ହେଉଥିଲେ ମଧ୍ୟ ଖୁସିର ବିଷୟ ହେଉଛି ଯେ ଓଡ଼ିଶାର କେତେକ ନୂଆ ସ୍ଥାନରେ ମହାବଳ ଚିହ୍ନଟ ହୋଇଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଗଣନା ଶେଷ ହୋଇଛି। ତା’ପରେ ମଧ୍ୟ ଅଭୟାରଣ୍ୟର କେତେକ ନୂତନ ସ୍ଥାନରେ ମହାବଳଙ୍କ ଉପସ୍ଥିତି ଜଣାପଡ଼ିଛି। ତେଣୁ ସେହି ଅଞ୍ଚଳରେ କ୍ୟାମେରା ଲଗାଯାଇ ବାଘ ଗଣନା କରାଯାଉଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିଲେ। ମାତ୍ର ୨୦୨୨ ଗଣନା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୨୦ଟି ବାଘ ରହିଥିବା ନେଇ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ତାହା ସତ୍ୟ ନୁହେଁ। ନିଜସ୍ବ ବାଘ ଗଣନାର ପ୍ରଥମ ପର୍ଯ୍ୟାୟ ତଥ୍ୟ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଓଡ଼ିଶାରେ ୨୫ରୁ ଅଧିକ ମହାବଳଙ୍କ ଅବସ୍ଥିତି ରହିଛି। ଛୋଟ ବାଘଙ୍କୁ ମିଶାଇଲେ ସଂଖ୍ୟା ୩୦ ଟପିଯିବ। ଶିମିଳିପାଳ ଏବେ ସାରା ଦେଶରେ କଳା ବାଘଙ୍କ ଠିକଣା ପାଲଟିଛି। ଗୋଟିଏ ପରେ ଗୋଟିଏ ସ୍ଥାନରୁ କଳା ବାଘ ଚିହ୍ନଟ ହେଉଥିବାରୁ କେବଳ ଏହି ଅଭୟାରଣ୍ୟରେ ୨୦ରୁ ଅଧିକ ରହିଥିବା ଅନୁମାନ କରାଯାଉଛି। ଚଳିତ ମାସ ପ୍ରଥମ ସପ୍ତାହ‌ରେ ଅଭୟାରଣ୍ୟର ଏକ ନୂଆ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ତାହାକୁ ଅନୁଧ୍ୟାନ କରାଯିବା ସହ ସେଠାରେ ବାଘଙ୍କ ଉପସ୍ଥିତି ଉପରେ ନଜର ରଖାଯାଇଛି। ବୌଦ୍ଧ, ନୟାଗଡ଼, କନ୍ଧମାଳ ଜଙ୍ଗଲରେ ମଧ୍ୟ ବାଘ ରହିଛନ୍ତି। ଡେବ୍ରିଗଡ଼ରେ ମହାବଳ ଥିବା ଜଣାପଡ଼ିଥିଲା। ଆଉ କିଛି ଜଙ୍ଗଲରେ ମଧ୍ୟ ବାଘଙ୍କ ଉପସ୍ଥିତି ରହିଥିବାରୁ ସଂଖ୍ୟା ବଢ଼ିଛି। ତେବେ ନୂଆପଡ଼ାରେ ବାଘ ଗଣନା ପାଇଁ ଲାଗିଥିବା କ୍ୟାମେରା ଚୋରି ହେବା ଦ୍ବାରା ଗଣନାରେ ସମସ୍ୟା ସୃଷ୍ଟି ହୋଇଥିଲା। ଫେବ୍ରୁଆରି ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ନିଜସ୍ବ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ।
ଏହାରି ଭିତରେ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ବାଘ ମୃତ୍ୟୁ। ଚଳିତ ମାସରେ ଦେଶରେ ୧୬ଟି ମହାବଳ ବାଘଙ୍କ ମୃତ୍ୟୁ ହେଇଛି। ଅର୍ଥାତ୍‌ ପ୍ରତି ଦୁଇ ଦିନରେ ଗୋଟିଏ ଲେଖାଏ ବାଘଙ୍କ ଜୀବନ ଯାଇଛି। ଆଶ୍ବସ୍ତିକର ବିଷୟ ହେଉଛି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ମହାବଳଙ୍କ ମୃତ୍ୟୁ ହୋଇ ନାହିଁ। ତେବେ ଗତ ସପ୍ତାହରେ ଛତିଶଗଡ଼ ଗୋମର୍ଡା ଅଭୟାରଣ୍ୟ ନିକଟରେ ହତ୍ୟା କରାଯାଇଥିବା ମହାବଳଟି ଯଦି ଓଡ଼ିଶାର ହୋଇଥିବ ତେବେ ୨୦୨୪ ମସିହାରେ ଓଡ଼ିଶାରେ ପ୍ରଥମ ବାଘ ମୃତ୍ୟୁ ବୋଲି ସ୍ପଷ୍ଟ ହେବା ସହ ଡେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବ। ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଥିବା ନେଇ ୨୦୨୨ ରିପୋର୍ଟରେ ଏନ୍‌ଟିସିଏ ସ୍ପଷ୍ଟ କରି ସାରିଛି। ଗୋଟିଏ ପଟେ ୨୦୨୩‌ରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାର ପାଳନ କରିଥିବା ବେଳେ ଅନ୍ୟପଟେ ସେହି ବର୍ଷ ଦେଶରେ ସବୁଠାରୁ ଅଧିକ ବାଘଙ୍କ ମୃତ୍ୟୁ ହୋଇଛି। ୱାଇଲ୍ଡଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍ ଇଣ୍ଡିଆ(ଡବ୍ଲ୍ୟୁପିଏସ୍ଆଇ) ତଥ୍ୟ ଅନୁଯାୟୀ ଦେଶରେ ୨୦୬ଟି ମହାବଳଙ୍କ ଜୀବନ ଯାଇଥିବା ବେଳେ ଏନ୍‌ଟିସିଏ ତଥ୍ୟ ଅନୁଯାୟୀ ୧୮୧ଟି ମହାବଳଙ୍କ ମୃତ୍ୟୁ ହୋଇଥିଲା। ପ୍ରତି ମାସରେ ହାରାହାରି ୧୫ଟି ବାଘଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି।