Onn 3

ଇଣ୍ଡିଆ ମେଣ୍ଟକୁ ଉପଦେଶ ଦେଲା ଟିଏମସି

National & International

 

tmc

କୋଲକାତା:ପାଖେଇ ଆସୁଛି ଲୋକସଭା ନିର୍ବାଚନର ଦିନ। କିନ୍ତୁ ଛିଡୁନି ଇଣ୍ଡିଆ ମେଣ୍ଟରେ ସିଟ ବଣ୍ଟା। ଯାହାକୁ ନେଇ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତାଙ୍କରି ମେଣ୍ଟ ଦଳକୁ କରିଛନ୍ତି ଟାର୍ଗେଟ।  ଆସନ ବାଣ୍ଟିବା ନେଇ ତୃଣ ମୂଳ କଂଗ୍ରେସ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି।  ଟିଏମସି ମଙ୍ଗଳବାର କହିଛି ଯେ ମିଳିତ ମଞ୍ଚର ସବୁଠାରୁ ବଡ ଦଳ ହୋଇଥିବାରୁ କଂଗ୍ରେସର ଅଧିକ ଦାୟିତ୍ଵ ରହିଛି ଏବଂ ପଶ୍ଚିମବଙ୍ଗ ଆସନ ବାଣ୍ଟିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଛାଡି ଦିଆଯିବା ଉଚିତ।

କଂଗ୍ରେସର ଦାୟିତ୍ଵକୁ ନେଇ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ନିଜର ମତ ରଖିଛନ୍ତି। ସର୍ବଦଳୀୟ ବୈଠକ ପୂର୍ବରୁ ସେ କହିଛନ୍ତି ଯେ ଯଦି ମମତା ବାନାର୍ଜୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବାମପନ୍ଥିକୁ ଶୂନକୁ ଆଣିପାରନ୍ତି, ତେବେ ସେ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିକୁ ଶୂନକୁ ଆଣିପାରିବେ। ସେ କହିଛନ୍ତି ଯେ ଯଦି କଂଗ୍ରେସ ବଙ୍ଗଳାରେ କିଛି କରିବାକୁ ଚାହୁଁଛି ତେବେ ମମତା ବାନାର୍ଜୀଙ୍କୁ ତାହା କରିବାକୁ ଛାଡି ଦିଆଯାଉ।

କଂଗ୍ରେସର ଭାରତ ଯୋଡା ନ୍ୟାୟ ଯାତ୍ରା ବିଷୟରେ ସେ କହିଛନ୍ତି ଯେ ଯଦି ସେ ଯାତ୍ରା ବିଷୟରେ ଟିଏମସିକୁ ଆଗରୁ ଜଣାଇଥାନ୍ତେ ତେବେ ମମତା ବାନାର୍ଜୀ ଏଥିରେ ଭାଗ ନେଇଥାନ୍ତେ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯାତ୍ରାରେ ଯୋଗଦେବାକୁ ଆମନ୍ତ୍ରଣ ବହୁତ ବିଳମ୍ବରେ ପଠେଇଥିଲେ।

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କଠାରୁ ଆମନ୍ତ୍ରଣ କେବେ ଆସି ନାହିଁ।  କଂଗ୍ରେସ ପାର୍ଟିରୁ ଆମେ ଏହି ନିମନ୍ତ୍ରଣ ପାଇଛୁ।  ଯାତ୍ରା ଆରମ୍ଭ ହୋଇଗଲା ପରେ ଏହାର ଅର୍ଥ କ’ଣ?  ବନ୍ଦୋପାଧ୍ୟାୟ ଏହା ମଧ୍ୟ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମିଳିତ ମଞ୍ଚରୁ ବାହାରିବା ଆଶ୍ଚର୍ଯ୍ୟଜନକ ନୁହେଁ। ତେବେ କିଛି ଦିନ ପୂର୍ବରୁ କଂଗ୍ରେସ ଓ ଟିଏମ୍ସି ମଧ୍ୟରେ ଆସନ ବଣ୍ଟାକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧରେ ଟିଏମସି ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଏକାକୀ ଲଢିବ ବୋଲି ମଧ୍ୟ କହିଥିଲା।