Onn 3

ଦୁଇ କବାଡିଆଙ୍କୁ ଚାପି ଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

State

 

truck-2-1

ଦଶପଲ୍ଲା  : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ କବାଡିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଦଶପଲ୍ଲା ପୋଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସେଠାରେ ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ ଦୁଇ ଜଣ ସାଙ୍ଗ ବାଇକରେ ବେପାର କରିବା ପାଇଁ ଆସୁଥିଲେ । ଏହି ସମୟରେ ଡିହଗାଁ ଛକ ନିକଟରେ ଉଭୟଙ୍କୁ ମଦ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ କିଭଳି ଭାବରେ ମୃତକ ଓ ଗୁରୁତରଙ୍କୁ ସହାୟତା ମିଳିବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର୍ ଧରିଛି।