ନୂଆଦିଲ୍ଲୀ : ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ଲାଗିଛି ନିଆଁ। ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ସୂଚନା ମିଳିଛି। ଖବର ପାଇ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ସହଯୋଗ କରୁଛି।
ଖବର ମୁତାବକ, ଗତକାଲି ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ମାର୍ଲିନ ଲୌଣ୍ଡା ଉପରକୁ ମିସାଇଲ ମାଡ କରାଯାଇଥିଲା। ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଛନ୍ତି। ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ଖବର ପାଇ ନୌସେନା କର୍ମଚାରୀ ସେଠାରେ ପହଞ୍ଚିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ସଫଳ ହୋଇନାହିଁ।
ନୌସେନା କହିଛି ଯେ, ମିଶାଇଲ ବିନାଶକାରୀ ଆଇଏନ୍ଏସ୍ ବିଶାଖାପାଟନମକୁ ଘଟଣାସ୍ଥଳରେ ନିୟୋଜିତ ରହିଛି। ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ଅଗ୍ନି ନିର୍ବାପକ ଉପକରଣ ସହ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି।
ଭାରତୀୟ ନୌସେନାକୁ ସ୍ପଷ୍ଟ ସୂଚନା ମିଳିଛି ଯେ, ୟେମେନର ଇରାନ ସମର୍ଥିତ ହାଉତିମାନେ ଏହି ଆକ୍ରମଣ କରିଛନ୍ତି। ନୌସେନା ଏକ ବିବୃତ୍ତିରେ କହିଛି ଯେ, ଟ୍ୟାଙ୍କରରେ ୨୨ ଜଣ ଭାରତୀୟଙ୍କ ସମେତ ଜଣେ ବାଂଲାଦେଶ କର୍ମଚାରୀ ମଧ୍ୟ ଅଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି।