Onn 3

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଚାରିଲେ-‘ଏ ମାହଲ ମାଣ୍ଡା କେଉଁଠୁ ଆସିଲା’

State

dharmendra-pradhan-1641053854-750x430

ଭୁବନେଶ୍ୱର,୨୦।୧: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆସିଥିବା ଆଡମିଟ କାର୍ଡରେ ”ମାହାଲ ମାଣ୍ଡା” ନାଁ ଆସିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହାପରେ ପରୀକ୍ଷାର୍ଥୀମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏବେ ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି।

ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଦେବା ସମୟରେ କହିଛନ୍ତି ଯେ, ‘ଓଡ଼ିଶାରେ ଏବେ ମାହଲମାଣ୍ଡାମାନେ ମାତିଛନ୍ତି। ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଏ ମାହଲମାଣ୍ଡା କେଉଁଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି।’

ସୂଚନାଯୋଗ୍ୟ କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍‌ ପ୍ରକ୍ରିୟା ଓ ମାର୍କ ପ୍ରକାଶ କରିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ସାର୍ବଜନୀନ କରିବାକୁ ସେମାନେ ଦାବି କରୁଛନ୍ତି। ଏହି ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରେ ପାଇବାକୁ ଗୁରୁବାର ବହୁ ସଂଖ୍ୟାରେ ଆଶାୟୀ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।

ସେପଟେ ଆଡ଼ମିଟ କାର୍ଡକୁ ନେଇ ଚର୍ଚ୍ଚା ହୋଇଛି। ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା, ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓସେପା ଇ-ଆଡମିଟ୍‌ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଆଶାୟୀମାନେ ଖପ୍ପା ହୋଇଛନ୍ତି। କେବଳ ଏତିକି ନୁହେଁ, ଗୋଟିଏ ଆଡ଼ମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି।

ତେବେ ଏହାକୁ ନେଇ ଓସେପା ମଧ୍ୟ ସ୍ପଷ୍ଟୀକରଣ ଦେଇଛି। ଓସେପା କହିଛି, ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଥାଏ। ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍‌ କାର୍ଡ ତିଆରି ହୋଇଥାଏ। ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ୍‌ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍‌ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେଣୁ ଦିଆଯାଇଥିବା ଆଡମିଟ୍‌ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ। ଓସେପା ବାସ୍ତବରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥାଏ।