Onn 3

ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି

Crime State

police-9

ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି କିଛି ପୋଲିସ ଅଧିକାରୀ । ଯାହା ପରେ ଆକ୍ସନ ମୋଡ଼ରେ ବିଭାଗୀୟ ଅଧିକାରୀ । କୋରାପୁଟ ଜିଲ୍ଲାରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୂର୍ଣ୍ଣ ଘଟଣା ଏହିପରି ।

କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଅଧିକାରୀମାନେ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମଚାରୀଙ୍କୁ କୋରାପୁଟ ହେଡ କ୍ୱାଟରକୁ ବଦଳି ସହ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଭାଗୀୟ ଅଧିକାରୀ । ପୋଲିସ ମାଛକୁଣ୍ଡର ଜଣେ ବ୍ୟବସାୟୀ ପି . ଶିବାଙ୍କୁ ଥାର୍ଡ ଡିଗ୍ରୀ ଦେଇ ଲହୁ ଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଦକ୍ଷିଣ-ପଶ୍ଚିମାଅଞ୍ଚଳ ଡିଆଜି ଚରଣ ସିଂ ମିନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ନିଜେ ପୀଡିତ ବ୍ୟକ୍ତି । ଏହି ଘଟଣାକୁ ନେଇ ମାଛକୁଣ୍ଡ ଥାନା ଏବଂ ଲମତାପୁଟ ଫାଣ୍ଡିରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଲମତାପୁଟ ଫାଣ୍ଡି ଅଧିକାରୀ ଚିତ୍ତ ପ୍ରଧାନ,କନେଷ୍ଟବଳ ଭୁବନ ନାୟକ ଏବଂ ହାବିଲଦାର ଜଗଦୀଶ ବାଘଙ୍କୁ କୋରାପୁଟ ହେଡକ୍ୱାଟରକୁ ବଦଳି କରାଯାଇଛି । ଏବଂ ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କୋରାପୁଟ ଏସପି ।

୧୧ ତାରିଖରେ ପି .ଶିବାଙ୍କ ବିରୋଧରେ ମାଛକୁଣ୍ଡର ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ମିଳିତ ଭାବରେ ଏକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ଉକ୍ତ ସ୍ୱାମୀ ସ୍ତ୍ରୀଙ୍କ ଘର ପଛ ପଟେ ପି. ଶିବା ଲୁଚିଲୁଚି କିଛି ଭିଡିଓ କରିଥିଲେ । ଏସବୁ ଦେଖିବା ପରେ ଉକ୍ତ ସ୍ୱାମୀ ସ୍ତ୍ରୀ ଭୟ ପାଇ ପରଦିନ ସକାଳେ ସମ୍ପୃକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଉଭୟ ପକ୍ଷକୁ ଡାକି ସମାଧାନ କରିଥିଲା ।

ଅନ୍ୟପଟେ ପି. ଶିବା ନିଜେ ଲିଖିତ ଭାବେ କହିଥିଲେ ଯେ ସେ ଏଭଳି କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିବେ ଏବଂ ସେ ସୁସ୍ଥ ଭାବରେ ଘରକୁ ଫେରିଛନ୍ତି ବୋଲି ଏକ ଲେଖା ଦେଇଥିଲେ । କିନ୍ତୁ ୧୨ ତାରିଖରେ ଡିଆଜିଙ୍କ ନିକଟରେ ପି. ଶିବା ଯେଉଁ ଅଭିଯୋଗ ଆଣିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ଶରୀରରେ ଲାଲ ଦାଗ ରହିଥିଲା । ତାଙ୍କୁ ପୋଲିସ ଅଧିକାରୀମାନେ ନିର୍ମମ ଭାବେ ମାଡ଼ ମାରିଥିବା ସେ ଅଭିଯୋଗ ଆଣିଥିଲେ । ମାଛକୁଣ୍ଡ ଥାନା ଅଧିକାରୀ ୫ ହଜାର ଟଙ୍କା ଶିବାଙ୍କ ଭାଇଙ୍କୁ ଚିକତ୍ସା ପାଇଁ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ ପି. ଶିବା ।

ଏହି ଘଟଣା ପରେ ପୋଲିସ ଡିଆଇଜି କୋରାପୁଟ ଏସପିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତିନି ପୋଲିସ କର୍ମଚାରୀଙ୍କ ବଦଳି ହୋଇଛି । ଅନ୍ୟପଟେ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।