Onn 3

କ୍ଷମତାକୁ ଆସିବାର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାକୁ ଆଣିବୁ ଆଇନ

State

BJP_1703949818

ଭୁବନେଶ୍ୱର: ସାଧାରଣ ନିର୍ବାଚନ ବିଗୁଲ୍ ନବାଜିବା ପୂର୍ବରୁ ବିଜେପି ଦେଇଛି ଗ୍ୟାରେଣ୍ଟି । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ୨୪ଘଣ୍ଟା ମଧ୍ୟରେ ଅର୍ଡିନାନ୍ସ(ଅଧ୍ୟାଦେଶ) ଆଣି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାର ନିର୍ଭର ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ ବାସହୀନଙ୍କୁ ପକ୍କାଘର, ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ, କଲେଜରେ ଛାତ୍ର ସଂସଦ ନିର୍ବାଚନ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଭଳି ପଦକ୍ଷେପ ମଧ୍ୟ ଅର୍ଡିନାନ୍ସ ଆକାରରେ ଆଣିବ। ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଦଳର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଦୁଇଦିନିଆ ବୈଠକ ପରେ ଶ୍ରୀ ସାମଲ ଏଭଳି ଗ୍ୟାରେଣ୍ଟି ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିକ ପାଣିପାଗ ଉଷ୍ମ ହୋଇଛି । ଏହାସହିତ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଅନ୍ୟାୟ ବିରୁଦ୍ଧରେ ଦଳ ପକ୍ଷରୁ ବିଧାନସଭା ନିର୍ବାଚନମଣ୍ଡଳୀୱାରି ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।
ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଷ୍ଟ୍ରୀୟ ସଂଗଠନ ସାଧାରଣ ସଂପାଦକ ବି.ଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ରହି ନିର୍ବାଚନୀ ରଣନୀତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏହି ବୈଠକ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ମାତ୍ର ୨୪ ଘଂଟା ଭିତରେ ଅର୍ଡିନାନ୍ସ ଜାରି କରି ଚିଟଫଣ୍ଡ କ୍ଷତିଗସ୍ତଙ୍କ ଟଙ୍କା ଫେରାଇବା ସହିତ ବାସହୀନଙ୍କ ପାଇଁ ପକ୍କା ଘର, ସମସ୍ତଙ୍କୁ ଶୁଦ୍ଧ ପିଇବା ପାଣି, କଲେଜରେ ଛାତ୍ର ସଂସଦ ନିର୍ବାଚନ, ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ନିମନ୍ତେ ପଦକ୍ଷେପ ନେବ । ଏହା ବିଜେପିର ପ୍ରତିଶ୍ରୁତି । ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟ ବରାଦ ବାବଦରେ ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ଦେଇଛନ୍ତି । ଅର୍ଥାତ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ବର୍ଷକୁ ପ୍ରାୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନ ଆକାରରେ ପଠାଇଛନ୍ତି । ଏହି ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ, ତାହା ବିଜେପି ପ୍ରଶ୍ନ କରୁଥିଲେ ମଧ୍ୟ ଦାୟିତ୍ୱହୀନ ରାଜ୍ୟ ସରକାର ଏହାର ଉତର ଦେଉନାହାନ୍ତିି । ରାଜ୍ୟ ସରକାର ମୌନ ଧାରଣ ନକରି ଏହାର ବିସ୍ତୃତ ଜବାବ୍ ରାଜ୍ୟବାସୀଙ୍କୁ ଯଥାଶୀଘ୍ର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ଏହାସହିତ ଶ୍ରୀ ସାମଲ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଓଡିଶାରେ କିଏ ସରକାର ଚଳାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବେଦନଶୀଳ ଶ୍ରୀମନ୍ଦିର ଏବଂ ଗୋମାଂସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମଗ୍ର ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବା ସହିତ ଗାଁ ଗାଁରେ ଏଭଳି ଅକ୍ଷମଣୀୟ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ୨୪ବର୍ଷ ଶାସନରେ ରାଜ୍ୟ ସରକାର କେତେ ଜଳସେଚନ କରିଛନ୍ତି ? କ୍ଷତିଗସ୍ତ ୪୦ଲକ୍ଷ ଚିଟଫଣ୍ଡଧାରୀଙ୍କୁ ଟଙ୍କା କେବେ ଫେରାଇବେ ? ରାଜ୍ୟରେ କୃଷିଭିତିକ ଓ ପର୍ଯ୍ୟଟନ ଶିଳ୍ପର ଅଧୋଗତି କାହିଁକି ? ଖଣି, ଖାଦାନର କିଭଳି ଭ୍ୟାଲୁ ଆଡ଼ିସନ କଲେ? ଦେଢ଼କୋଟି ଯୁବକ ଦାଦନ କାହିଁକି ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତିି ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ମଦ ବ୍ୟବସାୟୀଙ୍କଠୁ ଧରାପଡ଼ିଥିବା ୩୫୦କୋଟି କଳାଟଙ୍କା କାହାର? ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାନ୍ତି ।ନବୀନ ପଟ୍ଟନାୟକ ସରକାରରେ ଓଡ଼ିଶା ନାରୀ ନିର୍ଯାତନାରେ ଏକ ନମ୍ବରରେ ରହିଛି । ରାୟଗଡ଼ାରେ ଜଣେ କାର୍ଯ୍ୟରତ ଦିବ୍ୟାଙ୍ଗ ମହିଳା ଲକ୍ଷ୍ମୀ ମାଝୀଙ୍କୁ ପୋଡ଼ି ମାରି ଦିଆଗଲା । ବିଜେପି ମହିଳାମୋର୍ଚ୍ଚା ତରଫରୁ ହତ୍ୟାକୁ ନେଇ ଆନ୍ଦୋଳନ କରାଯିବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି ମଧ୍ୟ କଲା । ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କେବେ ଅନୁମତି ଦେବେ? ଧାନକିଣାରେ କଟନୀ ଛଟନୀ, ଅଭାବୀ ବିକ୍ରୀ ସମସ୍ୟା ଦୂରୀକରଣ ପାଇଁ କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଓଲଟା ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର ରାଜ୍ୟ ସରକାର ରଚିବା ଅତ୍ୟନ୍ତ ଲଜ୍ଜାଜନକ । କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ, ପଂଚାୟତରେ ବ୍ୟାପକ ଦୁର୍ନୀତି, କୋଟି କୋଟି ଟଙ୍କା ହଡ଼ପ, ଜନପ୍ରତିନିଧିଙ୍କ କ୍ଷମତାକୁ ଅଣଦେଖା ଆଦି ପ୍ରସଙ୍ଗରେ ମଧ୍ୟ ବିଜେପି ପ୍ରତ୍ୟେକ ବିଧାନସଭାମଣ୍ଡଳୀ ସ୍ତରରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ କରିବ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।