Onn 3

ଉଦଳା ବ୍ଲକରେ ଉଦ୍ଘାଟିତ ହେଲା ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

State

ପଂଜିକୃତ ହେଲେ ୪୧୮ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ

ବାରିପଦା : ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ବିକାଶ ପାଇଁ ଓଡିଶା ସରକାରଙ୍କ ବିଶେଷ ମୟୂରଭଞ୍ଜର ଉଦଳା ବ୍ଲକରେ ଆରମ୍ଭ ହୋଇଛି ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର। ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରର ଉଦ୍ଘାଟନ ଗୁରୁବାର ଦିନ ଉଦଳା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା, ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ କରିଥିବା ବେଳେ, ଉଦଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ତୃପ୍ତି ବରାଇ ଏହି ସଭାରେ ସଭାପତିତ୍ୱ କରିଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବାରିକ ଏହି ଶିବିରରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ପ୍ରମାଣପତ୍ର ଦେବା ସହିତ ସେମାନଙ୍କ ସମସ୍ତ ଆନୁସଙ୍ଗିକ ଆବଶ୍ୟକତା ସମସ୍ତ ବିଷୟରେ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟାଳୟର କର୍ତୃପକ୍ଷ ମାନଙ୍କୁ ଆଦେଶ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଯୋଗ ଦେଇ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ଉକ୍ତ ଶିବିରରେ ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁରଲୀଧର ଚାନ୍ଦ ଯୋଗଦେଇଥିବା ବେଳେ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ରୂପେ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଉଦଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ବରାଇ କହିଥିଲେ ଯେ ଏହି ସାମର୍ଥ୍ୟ ଅଭିଯାନ ଶିବିରର ଉଦ୍ଦେଶ୍ୟ ହେଲା ସମସ୍ତ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କର ପ୍ରତ୍ୟକ୍ଷ ଭାବରେ ସମସ୍ତ ଆବଶ୍ୟକତା ଏବଂ ସେମାନଙ୍କ ସାମର୍ଥ୍ୟର ବିକାଶ କରାଇବା। ଶ୍ରୀ ଚାନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ଏବଂ ବିଶେଷ କରି ଛାତ୍ର ଛାତ୍ରୀଙ୍କ ପାଇଁ ବାଣିଶ୍ରୀ ବୃତ୍ତି ପୁରସ୍କାର ଏବଂ ଭିନ୍ନକ୍ଷମ ଆରକ୍ଷଣ ବିଷୟରେ ନିଜ ଅଭିଭାଷଣ ରଖିଥିଲେ। ପ୍ରକାଶ ଥାଉକି, ଏହି ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିରରେ ସମୁଦାୟ ୪୧୮ ଜଣ ପଞ୍ଜିକରଣ କରିଥିବା ବେଳେ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ଭାଗ୍ୟଶ୍ରୀ ନାୟକ ଏହି ପଞ୍ଜିକରଣ କାର୍ଯ୍ୟର ସୁ-ପରିଚାଳନା କରିଥିଲେ। ଏହି ସାମର୍ଥ୍ୟ ଅଭିଯାନ ଶିବିରର ସଫଳ ରୂପାୟନ ପାଇଁ, ପି.ଇ.ଓ, ଶ୍ରୀ ବୃନ୍ଦାବନ ବେହେରା, ଶ୍ରୀ ଡାକ ସିଂ , ଶ୍ରୀ ନିରଞ୍ଜନ ନାୟକ, ଶ୍ରୀମତୀ ପୁଷପିତା ଶତପଥୀ ଏବଂ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବାର ସୂଚନା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣି ଙ୍କ ଠାରୁ ପ୍ରକାଶ।