Onn 3

୧୭ ଦଫା ଦାବି ନେଇ ଜାନୁଆରି ପହିଲାରୁ ରାଜ୍ୟବ୍ୟାପି ରାସନ୍ ବନ୍ଦ ଆନ୍ଦୋଳନ ଘୋଷଣା

State

aa

ଜଳେଶ୍ଵର: ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର୍ସ ଫେଡରେସନ୍ ଓଡ଼ିଶା ଶାଖା ତରଫରୁ ଗୁରୁବାର ଦିନ ନୂଆବଜାରସ୍ଥିତ ଶୋଭା କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଫେଡରେସନ୍‌ର ରାଜ୍ୟ ସଭାପତି ନଗେନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ।
ଶ୍ରୀ ଜେନା ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବାକୁ ଯାଇ କହିଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନ୍ୟ ରାଜ୍ୟର ରିଟେଲରମାନେ ୨୦୨୩ ମସିହା ଅକ୍ଟୋବର ସୁଦ୍ଧା ସେମାନଙ୍କ ସମସ୍ତ ପାରିଶ୍ରମିକ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ଦୀର୍ଘ ୨୮ ମାସ ଧରି ଏହି ପାରିଶ୍ରମିକ ମିଳିପାରି ନାହିଁ। ଫଳରେ ରିଟେଲରମାନେ ଘୋର ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ଖୁଚୁରା ବିକ୍ରେତାଙ୍କ ପାରିଶ୍ରମିକ ଅର୍ଥରାଶି ବୃଦ୍ଧି କରିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରିଟେଲରମାନଙ୍କୁ ଅନ୍ତର୍ଭୁକ୍ତ କରିବା, ସନନ୍ଦ ନବୀକରଣ ଏକ ବର୍ଷ ପରିବର୍ତ୍ତେ ୩ ବର୍ଷରେ ଥରେ କରିବା, ଅନ୍ୟ ରାଜ୍ୟ ପରି ଓଡ଼ିଶାର ହିତାଧିକାରୀଙ୍କୁ ଗହମ, ଚିନି, ଡାଲି, ଖାଇବା ତେଲ ସୁଲଭ ମୂଲ୍ୟରେ ଯୋଗାଇବା ଆଦି ୧୭ ଦଫା ଦାବି ନେଇ ଜାନୁଆରି ୧ ତାରିଖ ଠାରୁ ସମଗ୍ର ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାସନ୍ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ। ସେହିପରି ଆସନ୍ତା ୧୭ରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ହେବାକୁ ଥିବାରୁ ଦିଲ୍ଲୀ ଚାଲକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିଦ୍ୟାଧର ଦେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରତ୍ନାକର ପାତ୍ର, ଜଳେଶ୍ଵର ସମ୍ପାଦକ ରଞ୍ଜନ କୁମାର ପାତ୍ର, କିରଣ କୁମାର ଦାସ, ବଂଶୀଧର ଗିରି ସର୍ବେଶ୍ବର ରାଜ, ବିଶେଶ୍ବର ଜେନା, ବନବିହାରୀ ହାତୀ ଚିତ୍ତ ରଞ୍ଜନ ବିଶ୍ବାଳ, କମଳଲୋଚନ ଦାସ, କେଦାର ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।