Onn 3

କେନ୍ଦ୍ର ସରକାର ବିକ୍ରି କରିବେ ଚାଉଳ, ମାତ୍ର ୨୫ ଟଙ୍କା କିଲୋ

National & International

 

rice-1

ସାଧାରଣ ଲୋକଙ୍କୁ ଶସ୍ତା ଦରରେ ଚାଉଳ ଯୋଗାଇବେ କେନ୍ଦ୍ର ସରକାର। ମାତ୍ର ୨୫ ଟଙ୍କା କିଲୋ ଦରରେ ଚାଉଳ ଉପଲବ୍ଧ ହେବ। ମହଙ୍ଗାମାଡ଼ରୁ ଖାଉଟିଙ୍କୁ ମୁକ୍ତି ଦେବା ପାଇଁ ସରକାର ‘ଭାରତ ବ୍ରାଣ୍ଡ’କୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ କେନ୍ଦ୍ର ସରକାର ଦେଶରେ ଭାରତ ଅଟା ଏବଂ ଭାରତ ଡାଲିର ଶୁଭାରମ୍ଭ କରିଥିଲେ। ଏବେ ଭାରତ ବ୍ରାଣ୍ଡ ଅଧୀନରେ ସରକାର ଚାଉଳ ବିକ୍ରି କରିବେ।

ଭାରତ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଭାରତ ଚାଉଳ ଲଞ୍ଚିଂ ବିଷୟରେ ସୂଚନା ଦେଇଛନ୍ତି। ନାଫେଡ୍‌ (National Agricultural Cooperative Marketing Federation of India), ଏନ୍‌ସିସିଏଫ୍‌ (National Cooperative Consumers’ Federation) ଏବଂ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ଭାରତ ଚାଉଳ ବିକ୍ରି କରାଯିବ।

ଏହାପୂର୍ବରୁ ସରକାର ଚାଉଳର ଦରଦାମ୍‌ ବୃଦ୍ଧିକୁ ନେଇ ବ୍ୟବସାୟୀମାନଙ୍କୁ ଚେତାବନୀ ଦେଇଥିଲେ। ସରକାରଙ୍କ କହିବା ଥିଲା, ଅଣ-ବାସୁମତୀ ଚାଉଳର ଦାମ୍‌ ୫୦ ଟଙ୍କା ପ୍ରତି କିଲୋ ଦରରେ ପହଞ୍ଚିଯାଇଛି, ଯେତେବେଳେ କି, ସରକାର ଏହାକୁ ପାଖାପାଖି ୨୭ ଟଙ୍କା କିଲୋ ଦରରେ ବେପାରୀମାନଙ୍କୁ ଉପଲବ୍ଧ କରାଉଛନ୍ତି। ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଣ୍ଣୟ ନେଇଥିଲେ।

କେନ୍ଦ୍ର ସରକାର ନିକଟରେ ୨୭.୫୦ ଟଙ୍କା ପ୍ରତି କିଲୋ ଦରରେ ‘ଭାରତ ଅଟା’ ଲଞ୍ଚ୍‌ କରିଥିଲେ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ନଭେମ୍ବର ୬ରେ ଦିଲ୍ଲୀରେ ଏହି ବ୍ରାଣ୍ଡକୁ ଲଞ୍ଚ୍‌ କରିଥିଲେ। ଭାରତ ଅଟା ୧୦ ଏବଂ ୩୦ କିଲୋ ପ୍ୟାକ୍‌ରେ ମିଳୁଛି। ଏହା ବ୍ୟତୀତ ୬୦ ଟଙ୍କା ପ୍ରତି କିଲୋ ଦରରେ ‘ଭାରତ ଡାଲି (ଚଣା ଡାଲି)’ ମଧ୍ୟ ବିକ୍ରି ହେଉଛି।