Onn 3

ଆମାଜନ୍ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୪ଜଣ ପିଲା ମୃତ ମା’ଙ୍କ ବିଷୟରେ କହିଲେ

National & International

ନୂଆଦିଲ୍ଲୀ: ମଇ ପହିଲାରେ କଲମ୍ବିଆର ଆମାଜନ୍ ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ଥିବା ୪ ଜଣ ଶିଶୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ ଓ ସେମାନଙ୍କୁ ଦୁର୍ଘଟଣାର ୪୦ ଦିନ ପରେ ଉଦ୍ଧାର କରାଯାଇଥିଲା। ଏହି ପିଲାମାନଙ୍କର ମାଆ, ପାଇଲଟ୍‌ ଏବଂ ଆଉ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ପିଲାଙ୍କୁ ଉଦ୍ଧାର କରିଥିବା ଉଦ୍ଧାରକାରୀ ଦଳ ମଧ୍ୟରୁ ଜଣେ ସଦସ୍ୟ କହିଛନ୍ତି, ‘ମୋତେ ଦେଖିବା କ୍ଷଣି ସବୁଠାରୁ ବଡ଼ ଝିଅ ଲେସଲି ତାର ଛୋଟ ଭଉଣୀକୁ କୋଳରେ ଧରି ମୋ ପାଖକୁ ଦୌଡ଼ି ଆସି କହିଥିଲା ମୋତେ ବହୁତ ଭୋକ ଲାଗୁଛି। ସେହିପରି ଦୁଇ ପୁଅ ଶୋଇଥିଲେ। ସେଥିରୁ ଜଣେ ଉଠି ମୋତେ କହିଥିଲା ମୋ ମା’ ମରି ଯାଇଛି।’
ପରିବାର ଲୋକଙ୍କ ସହିତ ପୁନର୍ମିଳିତ ହୋଇଥିବା ଏହି ହ୍ୟୁଟୋଟୋ ଜନଜାତି ସମ୍ପ୍ରଦାୟ ପିଲାମାନଙ୍କର ବୟସ ଯଥାକ୍ରମେ ୧୩ ବର୍ଷ, ୯ବର୍ଷ ଓ ୭ ବର୍ଷ ଓ ୧୧ ମାସ ରହିଛି। ସେମାନଙ୍କୁ ସେନା ବାହିନୀର ମେଡିକାଲ୍ ବିମାନରେ ବଗୋଟା ସେନା ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଛି। ସେଠାରେ ସେମାନଙ୍କ ବାପା ବି ଉପସ୍ଥିତ ଅଛନ୍ତି।
ଉକ୍ତ ପିଲାଙ୍କ ବାପା କହିଛନ୍ତି, ‘ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୪ଦିନ ପର୍ଯ୍ୟନ୍ତ ପିଲାଙ୍କ ମା’ ଜୀବିତ ଥିଲେ। ମା’ଙ୍କ ପାଖରେ ୪ଜଣ ପିଲା ବସି ରହିଥିଲେ। ପିଲାଙ୍କୁ ଦେଖି ତାଙ୍କ ମା’ ବାରମ୍ବାର ବାରମ୍ବାର କହିଥିଲେ, ତୁମେମାନେ ଏଠାରୁ ଶୀଘ୍ର ଚାଲିଯାଅ। ନିଜକୁ ବଞ୍ଚାଇ ରଖ। ତୁମ ବାପାଙ୍କ ପାଖକୁ ଚାଲିଯାଅ।’
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାଗୁଆର, ସାପ ଓ ହିଂସ୍ରଜନ୍ତୁଙ୍କର ବାସସ୍ଥାନ କଲମ୍ବିଆର ଆମାଜନ୍‌ ଅରଣ୍ୟ ସହିତ ସେ ପିଲା ୪ଟି ଅପରିଚିତ ନୁହନ୍ତି। କାରଣ ସେମାନେ ଆଦିମ ଅଧିବାସୀ ହୋଇଥିବାରୁ ଜଙ୍ଗଲ ସହିତ ସୁପରିଚତ। କ’ଣ ଖାଇବା କଥା ଓ କ’ଣ ନ ଖାଇବା କଥା ସେମାନେ ଜାଣନ୍ତି। ଏଥିପାଇଁ ସେମାନେ ଏଭଳି ଭୟାବହ ଜଙ୍ଗଲରେ ୪୦ଦିନ ଧରି ତିଷ୍ଠି ରହି ପାରିଥିଲେ।