ଜମ୍ମୁ-କଶ୍ମୀରର କୁପୱାଡାରେ ସେନା ପକ୍ଷରୁ ଚାଲିଥିବା ଅପରେସନ ବେଳେ ତାଙ୍କ ମୁହଁରେ ଗୁଳି ମାଡ଼ ହୋଇଥିଲା। ସେବେଠାରୁ ସେ କୋମାରେ ରହିଥିଲେ। କିନ୍ତୁ ରବିବାର ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ଟିଏ(ଜମ୍ମୁ-କଶ୍ମୀର ରାଇଫଲ୍ସ)ର ୧୬୦ ଇନଫାଣ୍ଟ୍ରୀ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଥିଲେ। ୨୦୧୫ ମସିହା ନଭେମ୍ବର ୨୨ରେ କୁପୱାଡାର ହାଜି ନାକା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା।
ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସବୁଠାରୁ ଆଗରେ ରହିଥିଲେ। କିନ୍ତୁ ଅପରେସନ ବେଳେ ତାଙ୍କ ମୁହଁରେ ଗୁଳି ମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ସେ କୋମାକୁ ଚାଲି ଯାଇଥିଲେ। ତାଙ୍କ ମୁହଁରେ କାଲାଶିନକୋଭ ବୁଲେଟ ମାଡ଼ ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ଅପରେସନ ବେଳେ ୩ ଜଣ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଦେଇଥିଲେ।
ଗୁଳିମାଡ଼ ପରେ ତାଙ୍କୁ ପ୍ରଥମେ ଶ୍ରୀନଗର ଓ ଶେଷରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଏହି ସମୟରେ ସେ ସବୁ ଦେଖୁଥିଲେ। କିନ୍ତୁ କିଛି ବି ଜାଣି ପାରୁ ନଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କୋମାକୁ ଚାଲି ଯାଇଥିଲେ।
ତାଙ୍କ ପତ୍ନୀ, ଦୁଇ ପିଲା ଗୁନୀତ ଓ ଅସମୀତ, ତାଙ୍କ ବାପା ମା’ ଓ ପରିବାର ଲୋକ ୮ ବର୍ଷ ଧରି କରନବୀର କୋମାରୁ ବାହାରିବେ ବୋଲି ଆଶା କରିଥିଲେ। କିନ୍ତୁ ରବିବାର ସେମାନଙ୍କର ସବୁ ଆଶା ଭାଙ୍ଗି ଚୂରମାର ହୋଇଯାଇଛି।
ଭାରତୀୟ ସେନାରେ ସେ ଦୀର୍ଘ ୨୦ ବର୍ଷ ହେଲା କାମ କରିଛନ୍ତି। ଟେରିଟୋରିଆଲ ଆର୍ମିରେ ଯୋଗ ଦେବା ପୂର୍ବରୁ ସେ ୧୯୯୭ରେ ନିୟମିତ ସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ୧୦ ବର୍ଷ କାମ କରିବା ପରେ ସେ ନିୟମିତ ଆର୍ମିକୁ ଛାଡ଼ି ଦେଇଥିଲେ। କିନ୍ତୁ ଦେଶର ସେବା କରିବା ପାଇଁ ସେ ପୁଣି ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଥିଲେ।