ପିଏମ୍ ଷ୍ଟ୍ରୀଟ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନାରେ ମହାରାଷ୍ଟ୍ରର ୱାରଧା ନିବାସୀ ନୀଳେଶ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ଏହି ଋଣ ଅର୍ଥ ତାଙ୍କ ସଫଳ ଉଦ୍ୟୋଗ ଜୀବନର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଶୀଳ ପୁଞ୍ଜି ସାବ୍ୟସ୍ତ ହୋଇଛି । ପ୍ରାରମ୍ଭିକ ଅବସ୍ଥାରେ ନୀଳେଶ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହେଲେ ତାଙ୍କର ଦୃଢ ସଂକଳ୍ପ, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନିକଟରେ ସବୁ ଅସୁବିଧା ତୁଚ୍ଛ ପ୍ରମାଣିତ ହୋଇଥିଲା । ସେ ସଫଳତାର ସହିତ ନିଜର ଏକ ଖାଦ୍ୟ ପରିବେଷଣ ସଂସ୍ଥା ବା କ୍ୟାଟରିଂ ୟୁନିଟ୍ ସ୍ଥାପନ କରିଥିଲେ । ଏହି ବ୍ୟବସାୟ କେବଳ ଭଲ ଚାଲି ନ ଥିଲା; ଏହା ନୀଲେଶଙ୍କୁ ଉତ୍ତମ ରୋଜଗାର ଓ ପ୍ରତିଷ୍ଠା ଦେଇଥିଲା । ତାଙ୍କୁ ଦେଖି ଅନେକ ଅନୁପ୍ରାଣିତ ହୋଇଥିଲେ । ଶେଷରେ ଅନେକ ମିଶି ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ । ଯାହାର ନାମ ଥିଲା ‘ମୋହିନୀ ବଚତ୍ ଗୋଷ୍ଠୀ ।’ ଏହି ଗୋଷ୍ଠୀର ମହିଳା ଓ ତୃତୀୟ ଲିଙ୍ଗୀମାନେ ଏକତ୍ର ହୋଇ ନିଜକୁ ଆର୍ଥିକ ଦୃଷ୍ଟିରୁ ‘ସଶକ୍ତ’କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଅଳ୍ପ ଦିନରେ ସେମାନଙ୍କ ଉଦ୍ୟମ ସଫଳ ମଧ୍ୟ ହୋଇଥିଲା ।
ନୀଳେଶଙ୍କ ସଫଳ କାହାଣୀ ଅନ୍ୟମାନଙ୍କୁ ସାମାଜିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପ୍ରେରଣା ଦେଇଥିଲା । ସେମାନେ ମଧ୍ୟ ନିଜର ସ୍ୱପ୍ନ ସାକାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ନୀଳେଶ ‘ପିଏମ୍ ସ୍ୱନିଧି’ ଯୋଜନାକୁ ଶ୍ରେୟ ଦିଅନ୍ତି । ଏହି ଯୋଜନା ଏକ ବରଦାନ ସଦୃଶ ଥିଲା ଏବଂ ଏହା ତାଙ୍କର ଭାଗ୍ୟ ଖୋଲିବା ସହ ସାମର୍ଥ୍ୟ ପ୍ରତିପାଦନ କରିବାକୁ ସୁଯୋଗ ଦେଇଥିଲା । ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ସେ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହୋଇପାରିଛନ୍ତି ବୋଲି କହନ୍ତି ନିଳେଶ ।
ସେହିଭଳି ସୁଶ୍ରୀ ମୋନା ମଧ୍ୟ ଆଉ ଏକ ସଫଳ କାହାଣୀ କହନ୍ତି । ସେ ବି ଜଣେ ତୃତୀୟ ଲିଙ୍ଗ ଉଦ୍ୟମୀ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ମୋନା ତାଙ୍କ ଅଭିଜ୍ଞତା ଓ କାହାଣୀ ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ବର୍ଣ୍ଣନା କରିଛନ୍ତି । ସେ କହନ୍ତି ଯେ ତିନିବର୍ଷ ପୂର୍ବେ ସେ ସରକାରଙ୍କଠାରୁ ୧୦ ହଜାର ଟଙ୍କାର ଋଣ ନେଇଥିଲେ । ସେହି ଟଙ୍କାରେ ସେ ନିଜର ଏକ ଚା ଦୋକାନ ଆରମ୍ଭ କରିଥିଲେ । ଏହା ପରେ ତାଙ୍କର ବେପାର ବଢିବାରୁ ସେ ଦ୍ୱିତୀୟ ଥର ୨୦ହଜାର ଓ ତୃତୀୟ ଥର ୫୦ ହଜାର ଟଙ୍କାର ଋଣ ପାଇଥିଲେ । ପିଏମ୍ ସ୍ୱନିଧି ଯୋଜନାରେ ମିଳିଥିବା ଏହି ଋଣ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ।
ମୋନାଙ୍କର ଉଦ୍ୟମିତା ଯାତ୍ରା ଆରମ୍ଭ ହୋଇଥିଲା ଚଣ୍ଡିଗଡରୁ । ସେଠାରେ ସେ ପ୍ରଥମ ନିଜର ଏକ ଛୋଟ ଚା ଦୋକାନ ଖୋଲି ନିଜ ସଂକଳ୍ପ ଓ ଶ୍ରମର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲେ । ଏବେ ସେ ଏହି ପିଏମ୍ ସ୍ୱନିଧି ଯୋଜନାରେ ଏକାଧିକ ବାର ଋଣ ନେଇ ନିଜର ବ୍ୟବସାୟକୁ ବଢାଇଛନ୍ତି ଏବଂ ଠିକ୍ ସମୟରେ ଋଣ ମଧ୍ୟ ପରିଶୋଧ କରିଛନ୍ତି । ସବୁ ସାମାଜିକ ପ୍ରତିବନ୍ଧକକୁ ଦୂର କରି ସେ ଏବେ ଜଣେ ସଫଳ ଉଦ୍ୟୋଗୀ ହେବା ସହିତ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଆତ୍ମନିର୍ଭରଶୀଳ ହୋଇଛନ୍ତି ବୋଲି କହନ୍ତି ସୁଶ୍ରୀ ମୋନା ।
ନୀଳେଶ ଓ ମୋନାଙ୍କ ପରିବର୍ତ୍ତନ ଯାତ୍ରା କେବଳ ବ୍ୟକ୍ତିଗତ ସଫଳତା ବା ବିଜୟ ନ ଥିଲା । ଏ ତୃତୀୟ ଲିଙ୍ଗର ବ୍ୟକ୍ତିମାନଙ୍କ ପ୍ରତି ସମାଜର ଯେଉଁ ବାଛବିଚାର ପୂର୍ଣ୍ଣ ଓ ନକାରାତ୍ମକ ଧାରଣା ରହିଛି ତାହାକୁ ଭାଙ୍ଗି ଉଭୟ ଏହି ତୃତୀୟ ଲିଙ୍ଗୀ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହା ସଶକ୍ତିକରଣ ଓ ପ୍ରଗତିର ଏକ ନୂଆ ପ୍ରତିମାନ ସୃଷ୍ଟି କରିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇ ନିଜର ଅଭିଜ୍ଞତା ଓ ସଫଳତାର କାହାଣୀ ବର୍ଣ୍ଣନା କରିବା ବେଳେ ପିଏମ୍ ସ୍ୱନିଧି ଯୋଜନା ସେମାନଙ୍କ ଜୀବନରେ କିଭଳି ନିର୍ଣ୍ଣାୟାତ୍ମକ ପରିବର୍ତ୍ତନ ଆଣିଛି ତାହା ଦର୍ଶାଇଛନ୍ତି ।
ପିଏମ୍ ସ୍ୱନିଧି ଯୋଜନା ଦେଶର ଷ୍ଟ୍ରୀଟ୍ ଭେଣ୍ଡରମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ସହାୟକ ହୋଇଛି । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ଆର୍ଥିକ ଦୃଷ୍ଟିରୁ ଉପରକୁ ଉଠିବାକୁ ନୂଆ ବାଟ ପାଇଛନ୍ତି । ୨୦୨୩ ଡିସେମ୍ବର ୨୦ତାରିଖ ସୁଦ୍ଧା ଦେଶର ୫୭ ଲକ୍ଷ ଲୋକ ପିଏମ୍ ସ୍ୱନିଧି ଯୋଜନାରେ ଉପକୃତ ହୋଇଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଯେ ପ୍ରଗତି କେବଳ ସଂଖ୍ୟାଗତ ମାଇଲଖୁଣ୍ଟ ନୁହେଁ, ଏହା ମଧ୍ୟ ଦେଶର ବିକାଶରେ ସମଭାଗୀ ହୋଇ ନିଜର ଦକ୍ଷତା ପ୍ରତିପାଦନ ପୂର୍ବକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସମର୍ଥ ହେବାର ଏକ ମାଧ୍ୟମ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସରକାରଙ୍କ ପକ୍ଷରୁ ଲୋକ ବିଶେଷକରି ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ଯୋଡି ହୋଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିବାର ଉପକ୍ରମ ଚାଲିଛି । ଆମେ ଆତ୍ମବିଶ୍ୱାସର ସହିତ କହିପାରିବା ଯେ ଏଭଳି ନୂଆ ନୂଆ ସକାରତ୍ମକ ଓ ପ୍ରେରଣାଦାୟୀ କାହାଣୀ ପ୍ରତ୍ୟେକଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବାକୁ ଅବଶ୍ୟ ଉତ୍ସାହିତ କରିବ ।