Onn 3

ଉଚ୍ଛୃଙ୍ଖଳ ଆଚରଣ ଯୋଗୁଁ ରାଜ୍ୟସଭାରୁ ନିଲମ୍ବିତ ହେଲେ ତୃଣମୂଳ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌

National & International

derek

ନୂଆଦିଲ୍ଲୀ: ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବାରୁ ଚଳିତ ଅଧିବେଶନର ବାକି ଦିନ ସବୁ ପାଇଁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌ଙ୍କୁ ନିଲମ୍ବନ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଆଜି ରାଜ୍ୟସଭାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ ପରେ ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟସ୍ଥଳକୁ ଚାଲିଆସି ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି ପ୍ରସଙ୍ଗ ଆଲୋଚନା କରିବା ଲାଗି ଆଜି ଗୃହରେ ହେବାକୁ ଥିବା ବ୍ୟାପାର ବାତିଲ କରିବା ଲାଗି ବିରୋଧୀ ସାଂସଦମାନେ ୨୮ଟି ନୋଟିସ୍‌ ମଧ୍ୟ ଆଗତ କରିଥିଲେ।

କିନ୍ତୁ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ନୋଟିସ୍‌କୁ ଅନୁମତି ନ ଦେବାରୁ ବି‌ରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ଉଠିଆସିଲେ। ‌ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉତ୍ତର ଦାବି କରି ସେମାନେ ସ୍ଲୋଗାନ୍‌ ଦେଇଥିଲେ। ନିୟମ ଉଲ୍ଲଂଘନ କରୁଥିବା କହି ଧନଖଡ଼ ଏହାକୁ ‘ଉଚ୍ଛୃଙ୍ଖଳ ଆଚରଣ’ ବୋଲି କହିଥିଲେ।
ଏତିକି ବେଳେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରାୟନ୍‌ ଅଧ୍ୟକ୍ଷଙ୍କ ସମ୍ମୁଖ ଅଞ୍ଚଳକୁ ଯାଇ ଦୁଇହାତ ଉପରକୁ ଉଠାଇ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଧନଖଡ଼ ତାଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦେଶ ଦେଲେ। ଏଭଳି କ୍ଷେତ୍ରରେ ନିୟମାନୁସାରେ, ଅଧ୍ୟକ୍ଷଙ୍କ ନିର୍ଦେଶ ମାନି କୌଣସି ସାଂସଦ ସେ ଦିନକ ପାଇଁ ଗୃହ ବ୍ୟାପାରରୁ ଅପସରି ଯିବା କଥା।
ଓ’ବ୍ରାୟନ୍‌ଙ୍କ ଏତାଦୃଶ ଆଚରଣକୁ ଧନଖଡ଼ ଅଧ୍ୟକ୍ଷଙ୍କୁ ଅବମାନନା ଓ ସାଙ୍ଘାତିକ ଦୁର୍ବ୍ୟବହାର ବୋଲି କହିଥିଲେ। ପରେ ପରେ ଅଧିବେଶନର ବାକି ଦିନଗୁଡ଼ିକ ପାଇଁ ଓ’ବ୍ରାୟନ୍‌ଙ୍କୁ ନିଲମ୍ବନ କରିବା ନିମନ୍ତେ ରାଜ୍ୟସଭା ପ୍ରସ୍ତାବନା ଗୃହୀତ କରିଥିଲା।