Onn 3

ଅନୁଷ୍ଠିତ ହେଲା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

State

ବାରିପଦା: ରାଜ୍ୟ କୃଷି ଏବଂ କୃଷି ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପାଞ୍ଚଦିନ ବ୍ୟାପି ହେବାକୁଥିବା ମେଳାର ଉଦ୍ଘାଟନୀ ବାରିପଦା ସ୍ଥିତ ଛଉ ପଡିଆ ରେ ହର୍ଷ ଉଲ୍ଲାସରେ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ ସଭାରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଓଡ଼ିଶାର ପରିବର୍ତ୍ତନର ଧାରାରେ କୃଷି ଯାନ୍ତ୍ରିକକରଣ, ଯୁବଚାଷୀ ଙ୍କ ଯୋଗଦାନ ସମ୍ବନ୍ଧରେ ଗୁରୁତ୍ଵ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ମହିଳା ସଶକ୍ତିକରଣ ଦିଗରେ କୃଷି ଯାନ୍ତ୍ରିକରଣର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଇତ୍ୟବସରରେ ମାନ୍ୟବର ବିଧାୟକ ଉଦଳା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌର ପରିଷଦ ଅଧ୍ୟକ୍ଷ, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଉପସ୍ଥିତ ରହି ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ୭ ଜଣ ଅଗ୍ରଣୀ ଚାଷୀ ଏବଂ ୩ ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଏଥି ସହିତ ୯ ଟି ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଓଡ଼ିଶା ମିଲେଟ୍ ମିଶନ ତରଫରୁ ମାଣ୍ଡିଆ ଗୁଣ୍ଡ କରିବା ଯନ୍ତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ମେଳାରେ ମୁଖ୍ୟ ଯନ୍ତ୍ରୀ ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତରୁଣ ଛୋଟରାୟ ସଭାପତିତ୍ବ କରିଥିଲେ ଏବଂ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶ୍ରୀନିବାସ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ କୃଷି ଅଧିକାରୀ ମଧୁସ୍ମିତା ଜେନା, ସାରଦା ହାଁସଦା ଏବଂ ଅନ୍ୟାନ୍ୟ ଅଧିକାରୀ ପରିଚାଳନା କରିଥିବା ବେଳେ ଯୋଜନା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ଆଗାମୀ ୧୬ ତାରିଖ ଯାଏଁ ହେବାକୁ ଥିବା ଏହି ମେଳାରେ ୧୫୦୦ ରୁ ଉର୍ଦ୍ଧ୍ବ ଚାଷୀ ତାଲିମ ପାଇବା ସହିତ ୧୦୦୦ ରୁ ଉର୍ଦ୍ଧ୍ବ ଚାଷୀ ସିଧାସଳଖ ରିହାତି ମୁଲ୍ୟରେ ଯନ୍ତ୍ରପାତି କ୍ରୟ କରିବା ସହିତ ୬୦ ଟି ଷ୍ଟଲ ମାଧ୍ୟମରେ ବିଭିନ୍ନ କାର୍ଯ୍ୟଶୈଳିର ଅବଲୋକନ କରି ପାରିବେ।