Onn 3

ଅରୁଣାଚଳରୁ ଆବିଷ୍କାର ହେଲା ବତକ ପରି ରାବୁଥିବା ବେଙ୍ଗ

National & International

frog-750x430

ଇଟାନଗର: ଇଂଲାଣ୍ଡର ଉଲ୍‌ଭରହାମ୍ପଟନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଅରୁଣାଚଳ ପ୍ରଦେଶର ନାମ୍‌ଦଫା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘ମ୍ୟୁଜିକ୍ ଫ୍ରଗ୍‌’ର ଆଖ୍ୟା ଦେଇଛନ୍ତି। ତାହାର ରଡ଼ିରେ ଦୁଇରୁ ତିନି ପ୍ରକାରର ସ୍ବର ରହିଛି ଯାହା ବତକର ସ୍ବତନ୍ତ୍ର ‘କ୍ବାକ୍‌ କ୍ବାକ୍‌’ ରାବ ସହ ମିଶିଯାଉଛି। ବ୍ରହ୍ମପୁତ୍ର ନଦୀର ଉପନଦୀ ନୋଆ-ଦିହିଂ କୂଳରେ ଅନ୍ବେଷଣ ବେଳେ ଏହି ବେଙ୍ଗକୁ ସେମାନେ ଠାବ କରିଥିଲେ। ଉକ୍ତ ଉପନଦୀର ନାମାନୁସାରେ ସେମାନେ ଏହି ବେଙ୍ଗର ନାମ ‘ନୋଆ-ଦିହିଂ’ ରଖିଛନ୍ତି।
ସନ୍ତସନ୍ତିଆ ନଦୀ କୂଳରେ ରହୁଥିବା ଏହି ପ୍ରଜାତିର ବେଙ୍ଗମାନେ ଛଅ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ନ୍ତି। ସେମାନଙ୍କ ପିଠି ମଝିରେ ଫିକା ଲହୁଣି ରଙ୍ଗର ଲମ୍ବା ଗାର ରହିଛି। ଏହି ଗବେଷକ ଦଳ ଗତ ବର୍ଷ ଅଗଷ୍ଟ ଓ ସେପ୍‌ଟେମ୍ବର ମାସରେ ନଦୀକୂଳରେ ବତକର ସ୍ବର ଶୁଣି ପ୍ରଥମେ ଚକିତ ହୋଇଯାଇଥିଲେ। ତେବେ ରାତିରେ ଟର୍ଚ୍ଚ ଆଲୁଅରେ ଅନ୍ବେଷଣ ବେଳେ ବତକ ପରି ଶବ୍ଦ କରୁଥିବା ଉକ୍ତ ବେଙ୍ଗକୁ ସେମାନେ ଠାବ କରିଥିଲେ।
ଭାରତୀୟ ଜୀବବିଜ୍ଞାନୀ ଓ ଅରଣ୍ୟ ବିଶେଷଜ୍ଞଙ୍କ ସହାୟତାରେ ଉଲ୍‌ଭରହାମ୍ପଟନ୍‌ର ଗବେଷକମାନଙ୍କ ହାତରେ ପଡ଼ିଥିବା ଏହି ସନ୍ଧାନ ଉକ୍ତ ନୂଆ ପ୍ରଜାତି ବେଙ୍ଗମାନଙ୍କର ସଂପୃକ୍ତ ବାସସ୍ଥାନ ଓ ତାହାର ଆଖପାଖ ଅଞ୍ଚଳର ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରୁଛି।