Onn 3

ଆମେରିକାରେ ଦ୍ୱିତୀୟ ଘୁଷୁରି ହୃଦୟ ପ୍ରତିରୋପଣ

National & International State

reh

ୱାସିଂଟନ: ଆମେରିକାର ମେରିଲାଣ୍ଡରେ ସର୍ଜନମାନେ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କଠାରେ ଏକ ଘୁଷୁରିର ହୃଦୟ ପ୍ରତିରୋପଣ କରିଛନ୍ତି। ଏହା ହେଉଛି ଆମେରିକାରେ ଦ୍ବିତୀୟ ଘୁଷୁରି ହୃଦୟ ପ୍ରତିରୋପଣ ଘଟଣା, ଯାହା ପରୀକ୍ଷାମୂଳକ ଭାବେ କରାଯାଇଛି। ଦୁଇ ଦିନ ପରେ ଉକ୍ତ ବ୍ୟକ୍ତି ଏକ ଚେୟାରରେ ବସିବାକୁ ସକ୍ଷମ ହୋଇଥିଲେ ବୋଲି ମେରିଲ୍ୟାଣ୍ଡ ଡାକ୍ତରମାନେ ଶୁକ୍ରବାର କହିଛନ୍ତି।

ମେରିଲାଣ୍ଡ ମେଡିସିନ୍ ବିଶ୍ୱବିଦ୍ୟାଳୟର ଡାକ୍ତରଙ୍କ କହିବାନୁସାରେ, ୫୮ ବର୍ଷୀୟ ନୌସେନା ଭେଟେରାନ୍ ହୃଦ୍‌ଘାତରେ ମୃତ୍ୟୁର ଦ୍ବାରଦେଶରେ ପହଞ୍ଚି ଯାଇଥିଲେ। ବୁଧବାର ଅପରେସନ୍ ପୂର୍ବରୁ ମେରିଲ୍ୟାଣ୍ଡ ଫ୍ରେଡେରିକର ଲରେନ୍ସ ଫସେଟ୍ କହିଥିଲେ, ଏଠାରୁ ଆଗକୁ କ’ଣ ହେବ କେହି ଜାଣି ନାହାନ୍ତି। ଅନ୍ତତଃପକ୍ଷେ ବର୍ତ୍ତମାନ ମୋର ବଞ୍ଚିବା ଲାଗି ଆଶା ସଂଚାର ହୋଇଛି ଏବଂ ମୋତେ ଏକ ସୁଯୋଗ ମିଳିଛି। ମୁଁ ବଞ୍ଚିବା ପାଇଁ ସବୁ ପ୍ରକାର ପ୍ରୟାସ କରିବି ବୋଲି ସେ କହିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ପରବର୍ତ୍ତୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ପ୍ରତିରୋପଣର ସଫଳତାରେ ଡକ୍ଟର ବାର୍ଟଲି ଗ୍ରିଫିଥ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। ଗତ ବର୍ଷ ସମାନ ମେରିଲାଣ୍ଡ ଦଳ ଜେନେଟିକ ରୂପାନ୍ତରିତ ଘୁଷୁରି ହୃଦୟର ପ୍ରଥମ ପ୍ରତିରୋପଣ କରିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଡେଭିଡ ବେନେଟ ଦୁଇ ମାସ ବଞ୍ଚିବା ପରେ ମୃତ୍ୟୁବରଣ କରିଥିଲେ। ପଶୁ-ମାନବ ଅଙ୍ଗ ପ୍ରତିରୋପଣ ପ୍ରୟାସ ଦଶନ୍ଧି ଧରି ବିଫଳ ହୋଇଆସିଛି, କାରଣ ମଣିଷର ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ ବିଦେଶୀ ଟିସୁକୁ ନଷ୍ଟ କରିଦେଇଥାଏ। ବର୍ତ୍ତମାନ ବୈଜ୍ଞାନିକମାନେ ପୁନର୍ବାର ସେମାନଙ୍କର ଅଙ୍ଗକୁ ଅଧିକ ମାନବୀୟ କରିବା ପାଇଁ ଜେନେଟିକ୍ ରୂପାନ୍ତରିତ ଘୁଷୁରିକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି।

ପ୍ରତିରୋପଣଣ ଦୁଇଦିନ ପରେ ଶୁକ୍ରବାର ସୁଦ୍ଧା ଫସେଟ୍‌ଙ୍କର ନୂତନ ହୃଦୟ କୌଣସି ସହାୟକ ଯନ୍ତ୍ର ବିନା ଭଲ କାମ କରୁଥିଲା ବୋଲି ଡାକ୍ତରଖାନା କହିଛି। ମେରିଲ୍ୟାଣ୍ଡ ଦଳର ଜେନୋଟ୍ରାନ୍ସପ୍ଲାଣ୍ଟେସନ୍ ବିଶେଷଜ୍ଞ ଡ ମହମ୍ମଦ ମୋହିଉଦ୍ଦିନ କହିଛନ୍ତି ଯେ, ଏହି ଘୁଷୁରି ହୃଦୟ ମନୁଷ୍ୟ ଦେହରେ କାମ କରିବା ଏକ ଆଶ୍ଚର୍ଯ୍ୟଜନକ ଅନୁଭବ। ଭର୍ଜିନିଆ ରେଭାଇଭିକୋରର ବ୍ଲାକ୍‌ସବର୍ଗ ଦ୍ବାରା ପ୍ରଦାନ କରାଯାଇଥିବା ଘୁଷୁରି ହୃଦୟରେ ୧୦ଟି ଜେନେଟିକ୍ ପରିବର୍ତ୍ତନ କରାଯାଇଛି। ଘୁଷୁରିର କିଛି ଜିନ୍ ବାହାର କରି ସେଥିରେ ମାନବ ଜିନ୍ ସନ୍ନିବେଶିତ କରାଯାଇଛି, ଯାହାଫଳରେ ମାନବ ପ୍ରତିରକ୍ଷା ପ୍ରଣାଳୀରେ ତାହା ଅଧିକ ଗ୍ରହଣୀୟ ହୋଇପାରିବ।