Onn 3

କୁଳପତିଙ୍କୁ ହୃଦଘାତ ହେବାରୁ ବିଚାରପତିଙ୍କ କାର ଛଡାଇନେଲେ ଛାତ୍ର, ଏବେ ରୁଜୁ ହେଲା ମାମଲା

National & International

heart-attack-750x430

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ନିଜ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଏବେ କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଟ୍ରେନରେ ଯାତ୍ରା କରୁଥିବା ପି.କେ ବିଶ୍ୱବିଦ୍ୟାଳୟର କୁଳପତି ରଞ୍ଜିତ ସିଂ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଟ୍ରେନରେ ଉପସ୍ଥିତ କିଛି ଛାତ୍ର ତାଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନା ନେବା ପାଇଁ ଗାଡି ଖୋଜିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ଷ୍ଟେସନ ବାହାରେ ଥିବା ଜଣେ ବିଚାରପତିଙ୍କ କାର ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ କୁହାଯାଇଥିଲା | ତେବେ ଡ୍ରାଇଭରଜଣକ ମନା କରିବା ପରେ ଛାତ୍ରମାନେ କାରର ଚାବି ଛଡ଼ାଇ ନେଇ କୁଳପତିଙ୍କୁ ଡାକ୍ତରଖାନା ନେଇଥିଲେ।
ତେବେ ରଞ୍ଜିତ ସିଂଙ୍କ ଜୀବନ ରକ୍ଷା ହୋଇପାରିନଥିଲା । ତେବେ କାର ଛଡାଇନେବା ଘଟଣାରେ ବର୍ତ୍ତମାନ ଏହି ଛାତ୍ରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ ୬୮ ବର୍ଷୀୟ ରଣଜିତ ସିଂ ଯାଦବ କିଛି ଛାତ୍ରଙ୍କ ସହ ଦିଲ୍ଲୀରୁ ଗ୍ୱାଲିଅରକୁ ଯାଉଥିଲେ। ରବିବାର ରାତିରେ ଟ୍ରେନ ଆଗ୍ରାରେ ପହଂଚିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା | ଧୀରେ ଧୀରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ୱାଲିଅରରେ ଛାତ୍ରମାନେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନା ନେବା ପାଇଁ କାର ଖୋଜିବା ଆରମ୍ଭ କରିଥିଲେ। ହାଇକୋର୍ଟର ବିଚାରପତି ସଞ୍ଜୀବ ଏସ କାଲଗାଓଁକାରଙ୍କ କାର ପ୍ଲାଟଫର୍ମ ବାହାରେ ପାର୍କିଂ କରାଯାଇଥିଲା।
ଛାତ୍ରମାନେ ସେମାନଙ୍କ ଡ୍ରାଇଭରଙ୍କ ସାହାଯ୍ୟ ମାଗି ଡାକ୍ତରଖାନା ନେବାକୁ ଅନୁରୋଧ କରିଥିଲେ କିନ୍ତୁ ଯେତେବେଳେ ଡ୍ରାଇଭର ରାଜି ହୋଇନଥିଲେ ସେତେବେଳେ ଛାତ୍ରମାନେ ଡ୍ରାଇଭରଙ୍କ ପାଖରୁ ଚାବି ଛଡ଼ାଇ ନେଇଥିଲେ। କୌଣସି ପ୍ରକାରେ ରଞ୍ଜିତ ସିଂଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଅନ୍ୟପକ୍ଷରେ ଜଜଙ୍କ କାର ଛଡାଇ ନିଆଯାଇଥିବାର ଖବର ପାଇବା ମାତ୍ରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିଛି ସମୟ ପରେ ଏହି କାରଟି ଜୟାରୋଗ୍ୟ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା ​​| ଆଉ ଏବେ ପୁଲିସ ଏହା ବିରୋଧରେ ମାମଲା ରୁଜୁ କରିଛି |