Onn 3

ଝୁମ୍ପୁଡ଼ିରେ ବସବାସ କରୁଥିବା ନବନିର୍ବାଚିତ ବିଧାୟକ ବଖାଣିଲେ ଦୁଃଖ

National & International

1

ନୂଆଦିଲ୍ଲୀ: ଡିସେମ୍ବର ୩ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଝୁମ୍ପୁଡ଼ିରେ ରହୁଥିବା କମଳେଶ୍ବର ଡୋଡିୟାରଙ୍କ ପରିଚୟ ବଦଳି ଯାଇଛି। ଏବେ ଲୋକେ ତାଙ୍କୁ ମାନନୀୟ ବିଧାୟକ କମଳେଶ୍ବର ଡୋଡିୟାର ବୋଲି ସମ୍ଭୋଧନ କରୁଛନ୍ତି।
ନିର୍ବାଚନ ଫଳାଫଳ ଘୋଷଣା ପରେ କମଳେଶ୍ବର ଡୋଡିୟାରଙ୍କ ଭିଡିଓ ଓ ଫଟୋ ଚର୍ଚ୍ଚାର ପରିସରକୁ ଆସିଛି। କମଳେଶ୍ବର ବିଜେପି କି କଂଗ୍ରେସ କୌଣସି ଦଳ ସହିତ ଜଡ଼ିତ ନାହାନ୍ତି। ଏହି ନବନିର୍ବାଚିତ ବିଧାୟକଙ୍କ ଦଳର ନାମ ‌ହେଉଛି, ‘ବିଏପି’; ଅର୍ଥାତ ଭାରତ ଆଦିବାସୀ ପାର୍ଟି’।
ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବ‌ା ବିଏପିର ପ୍ରାର୍ଥୀ କମଳେଶ୍ବର ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ସୈଲାନା ଆସନ ପାଇଁ କଂଗ୍ରେସ ବିଧାୟକ ହର୍ଷ ବିଜୟ ଗୋହଲୋତଙ୍କୁ ୪ହଜାର ୬୧୮ଟି ଭୋଟ‌ରେ ହରାଇ ବିଜୟ ହାସଲ କରିଛନ୍ତି।
ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ କମଳେଶ୍ବରଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ‌ହେଉଛି, ସେ ପାଖାପାଖି ୧୨ଲକ୍ଷ ଟଙ୍କା ଋଣ ନେଇ ନିର୍ବାଚନ ଲଢ଼ିଥିଲେ। ବିଧାୟକ ହୋଇଯିବା ପରେ ବାଇ‌କରେ ବସି କମଳେଶ୍ବର ୩୫୦କିମି ଦୂର ଯାତ୍ରା କରିବା ପରେ ରାଜଧାନୀ ଭୋପାଳରେ ଯାଇ ପହଞ୍ଚିଥିଲେ। ଏଥିପାଇଁ ତାଙ୍କୁ ୮ରୁ ୯ଘଣ୍ଟାର ସମୟ ଲାଗିଥିଲା। ବିଏପିର ଜିତିଥିବା ପ୍ରାର୍ଥୀଙ୍କୁ ବିଧାନସଭା ସଚ୍ଚିବାଳୟରେ କାଗଜପତ୍ର ଜମା କରିବାକୁ ଭୋପାଳ ଡକାଯାଇଥିଲା।
ଏହି ଘଟଣାକୁ ନେଇ କମଳେଶ୍ବର କହିଛନ୍ତି, ‘ଦଳର କର୍ମକର୍ତ୍ତାମାନେ ମୋତେ ଖୁବ ସାହାଯ୍ୟ କରିଛନ୍ତି। ଏମିତି କି କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ଦୁଇଚକିଆ ଯାନରୁ ଆରମ୍ଭ କରି ଚାରିଚକିଆ ପର୍ଯ୍ୟନ୍ତ ଆଣି ଛିଡ଼ା କରି ଦେଇଥାଆନ୍ତି। ଏବେ ନିର୍ବାଚନ ଶେଷ ହୋଇଯାଇଛି। କର୍ମକର୍ତ୍ତାମାନେ ଥକି ପଡ଼ିଛନ୍ତି। ବିଶ୍ରାମ ନେଉଛନ୍ତି। ସେମାନଙ୍କ ଗାଡ଼ିର ବ୍ୟବହାର କରି ମୁଁ କର୍ମକର୍ତ୍ତାମାନଙ୍କୁ ହଇରାଣ କରିବାକୁ ଚାହୁଁ ନାହିଁ।’
ସେହିପରି ବିନା ହେଲମେଟରେ ଗାଡ଼ି ଚଲାଇ ଯାଇଥିବା ଘଟଣାକୁ ନେଇ କମଳେଶ୍ବରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ଦେଖନ୍ତୁ ଆଜ୍ଞା ମୋ ପାଖରେ ଅର୍ଥବଳ ଖୁବ କମ। ନିର୍ବାଚନ ପାଇଁ ଋଣ ନେଇଥିଲି। ନିର୍ବାଚନ ଶେଷ ହୋଇଛି। ଏଥିରେ ମୋର ବହୁତ ଖର୍ଚ୍ଚ ହୋଇଯାଇଛି। ହେଲମେଟ କିଣିବାକୁ ଟଙ୍କା ନାହିଁ। କିନ୍ତୁ ଅର୍ଥ ଯୋଗାଡ଼ି ନିଶ୍ଚୟ ହେଲମେଟ କିଣିବି।ଘରର ଆର୍ଥିକ ଅବସ୍ଥା ଠିକ ନାହିଁ। ପରିବାରଲୋକ ଝୁମ୍ପୁଡ଼ିରେ ରୁହୁଛନ୍ତି। ବାପାଙ୍କ ଦୁଇହାତ କାମ କରୁ ନଥିବା ବେଳେ ମା’ ଦିନମଜୁରିଆ ଭାବେ କାମ କରନ୍ତି।’
କମଳେଶ୍ବର ୨୦୧୭ରେ ଯୁବା ଆଦିବାସୀ ସଙ୍ଗଠନ ସହିତ ଯୋଡ଼ି ହୋଇଥିଲେ। ଜଏସ ପକ୍ଷରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ୨୦୧୮ରେ ମଧ୍ୟପ୍ରଦେଶରେ ବିଧାସଭା ନିର୍ବାଚନ ଲଢ଼ିଥିଲେ। ପ୍ରଥମ ନିର୍ବାଚନରେ ୧୦ହଜାର ଭୋଟ ଲକ୍ଷ୍ୟରେ କମଳେଶ୍ବର ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ୧୮ହଜାର ୮୦୦ଭୋଟ ମିଳିଥିଲା । ଏହାପ‌ରଠାରୁ ତାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା।ତେଣୁ ‌ସେ ରାଜସ୍ଥାନରେ ଗଠିତ ହୋଇଥିବା ଦଳ ବିଟିପି ପକ୍ଷରୁ ଟିକେଟ ପାଇ ରତଲାମ ସିଟରୁ ସେ ୨୦୧୯ରେ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲେ।
ଚଳିତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଟିପି ଦଳ ଭାଙ୍ଗି ଏକ ନୂଆ ଦଳ ବିଏପି ଗଠନ ହୋଇଥିଲା। ଏହି ଦଳ ପକ୍ଷରୁ କମଳେଶ୍ବର ନିର୍ବାଚନ ମିଇଦାନକୁ ଓହ୍ଲାଇଥିଲେ, ଆଉ ଦଳକୁ ଜିତାଇଥିଲେ।