୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଘନିଷ୍ଠ ଥିଲା ଆଦନାନ ହଞ୍ଜଲା। ଡିସେମ୍ବର ୨ ତାରିଖରେ ହଞ୍ଜାଲାକୁ ତା’ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି। ତା’ଉପରେ ୪ଟି ରାଉଣ୍ଡ ଗୁଳିମାଡ କରାଯାଇଛି। ହଞ୍ଜାଲର ମୃତଦେହରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି।
ତେବେ ଗୁଳିମାଡ଼ ପରେ ହଞ୍ଜଲା ପ୍ରଥମେ ଆହତ ହୋଇଥିଲା। ଏହାପରେ ତାଙ୍କୁ କରାଚୀ ସ୍ଥିତ ପାକିସ୍ତାନ ସେନା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତା’ର ମୃତ୍ୟୁ ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି।
୨୦୧୫ରେ ଆତଙ୍କୀ ଆଦନାନ୍ ହଞ୍ଜଲା ଉଧମପୁରରେ ବିଏସ୍ଏଫ୍ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଏହି ଆକ୍ରମଣରେ ୨ଜଣ ବିଏସ୍ଏଫ୍ ଯବାନ ସହିଦ ହୋଇଥିଲେ। ୧୩ଜଣ ଯବାନ ଆହତ ହୋଇଥିଲେ। ଏନ୍ଆଇଏ ଏହି ଆତଙ୍କବାଦୀ ଆକ୍ରମଣ ଉପରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା।
ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର୍ ଅଞ୍ଚଳରେ ସିଆର୍ପିଏଫ୍ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ହଞ୍ଜଲାର ହାତ ଥିଲା। ଏହି ଆକ୍ରମଣରେ ୮ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ।