Onn 3

ପ୍ରତିଷ୍ଠାକୁ ୮୦ବର୍ଷ ପୂରିବ; ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ବ୍ୟାହତ, ୨୩୩ ଛାତ୍ରଛାତ୍ରୀଙ୍କୁ ୪ ଶିକ୍ଷୟିତ୍ରୀ

State

ଆଗରପଡ଼ା: ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନା ମାଧ୍ୟମରେ ଉଚ୍ଚାକାଂକ୍ଷା ବିଦ୍ୟାଳୟମାନ ନିର୍ମାଣ କରୁଛନ୍ତି । ଯଦ୍ୱାରା ବାହ୍ୟ ରୂପରେଖରେ ପରିବର୍ତ୍ତନ ଆସୁଛି କିନ୍ତୁ ଶିକ୍ଷାଲାଭର ମୁଲ୍ୟାଙ୍କନରେ ପରିବର୍ତ୍ତନ ହୋଇପାରୁନି । ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ଏହାର ସଦ୍ୟ ଉଦାହରଣ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅନ୍ତର୍ଗତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇ ସାରିଥିଲେ ମଧ୍ୟ ଏବେ ସୁଦ୍ଧା ବିଭିନ୍ନ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଶିକ୍ଷା କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହେଉଥିବାର ଜଣାପଡ଼ିଛି । ୧୯୪୪ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ୮୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିଲେ ସୁଦ୍ଧା ଏହାର ଶିକ୍ଷାଦାନର ଭିତ୍ତିଭୂମିରେ ପରିବର୍ତ୍ତନ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହି ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

କିନ୍ତୁ ୨୩୩ ଜଣଙ୍କୁ ଶିକ୍ଷାଦାନ କରୁଛନ୍ତି ୪ଜଣ ଶିକ୍ଷୟିତ୍ରୀ । ଯଦ୍ୱାରା ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଖେଳ ଶିଷୟିତ୍ରୀଙ୍କୁ କୌଣସି କାରଣ ବସତଃ ୨ବର୍ଷ ହେବ ଅନ୍ୟତ୍ର ଡ଼େପୁଟେସନରେ ପଠାଯାଇଥିବାବେଳେ ଗତ ୧୮ ତାରିଖରେ ବିଭାଗୀୟ ନିର୍ଦ୍ଦେଶାନୁସାରେ ଉଭୟ ଇତି ମଧ୍ୟରେ ଏଠାରେ ଯୋଗଦାନ କରିଛନ୍ତି । କିନ୍ତୁ ଉଭୟଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିଥିବା ବେଳେ ଟିଆଇ,ଟିଏମ,ହିନ୍ଦୀ,ସଂସ୍କୃତ ଶିକ୍ଷକ ଓ ବିଜ୍ଞାନ ସହାୟକ ପଦ ଫାଙ୍କା ପଡ଼ିଛି । ଫଳରେ ଛାତ୍ରଛାତ୍ରୀମାନେ ଉନ୍ନତ ମାନର ଶିକ୍ଷାଲାଭରୁ ବଂଚିତ ହେଉଛନ୍ତି । ଏଥିସହ ମଧ୍ୟାହ୍ନଭୋଜନ ପ୍ରସ୍ତୁତିରେ ମଧ୍ୟ ନାନା ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷାଦାନ ନିମନ୍ତେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ଏହାର ସୁଫଳ ମିଳୁନଥିବା ଜଣାପଡ଼ିଛି । ତେଣୁ ସ୍ୱାଧିନତା ପୂର୍ବର ବିଦ୍ୟାଳୟରେ ଏହିପରି ଶିକ୍ଷାବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷା ବିଭାଗର ଉକ୍ତ ବିଦ୍ୟାଳୟ ପ୍ରତି ଅଣ ଦେଖାକୁ ନେଇ ଶିକ୍ଷା କମିଟି ,ଅଭିଭାବକ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ଆଜି ସୁଦ୍ଧା ମିଳିପାରୁନଥିବା ଜଣାପଡ଼ିଛି ।