Onn 3

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଭଟିଣ୍ଡା ଏସପି ସସପେଣ୍ଡ୍

National & International

105495483

ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତତ୍କାଳୀନ ଫିରୋଜପୁର ଆରକ୍ଷୀ ଅଧୀକ୍ଷକ (ଏସପି) ଗୁରବିନ୍ଦର ସିଂହ। ଗୁରବିନ୍ଦର ସିଂ ବର୍ତ୍ତମାନ ଭଟିଣ୍ଡାରେ ଅବସ୍ଥାପିତ ଅଛନ୍ତି।
ଜାନୁଆରୀ ୫, ୨୦୨୨ରେ ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତ କରିଥିଲେ, ଯେଉଁଠାରେ ସେ ସଡ଼କ ପଥରେ ଏକ ଓଭରବ୍ରିଜ୍ ଦେଇ ଯାଉଥିବାବେଳେ ହୁସେନିୱାଲା ନିକଟରେ ବିକ୍ଷୋଭକାରୀମାନେ ତାଙ୍କ ରାସ୍ତା ଅବରୋଧ କରିଥିଲେ। ଓଭରବ୍ରିଜ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ ଦୀର୍ଘ ସମୟ ଧରି ଅଟକାଇବାକୁ ପଡ଼ିଥିଲା । ପରେ ରାସ୍ତା ଖାଲି ହୋଇଯାଇଥିଲା ଏବଂ ତାଙ୍କ ଗାଡ଼ି ଚାଲିଯାଇଥିଲା। ଏହି ଘଟଣାକୁ ନେଇ କେନ୍ଦ୍ର ସରକାର ତୀବ୍ର ଆପତ୍ତି ଉଠାଇଥିଲେ। ଖୋଦ ମୋଦୀ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଥିଲେ ।
ଏହି ମାମଲାରେ ତଦନ୍ତ କମିଟି ଏକ ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ସେହି ସମୟରେ ଫିରୋଜାବାଦ ଏସପି ଗୁରବିନ୍ଦର ସିଂହ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିଲେ, ଯେଉଁକାରଣରୁ ସୁରକ୍ଷାରେ ଏତେ ବଡ଼ ତ୍ରୁଟି ହୋଇଥିଲା। ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରବିନ୍ଦର ସିଂହଙ୍କୁ ନିଲମ୍ବିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅନିରୁଦ୍ଧ ତିୱାରୀ ଏବଂ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ଏହି ତଦନ୍ତ ପରେ ଗତ ବର୍ଷ ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ୨୦୨୨ ସେପ୍ଟେମ୍ବରରେ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।