Onn 3

ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି ପ୍ରସଙ୍ଗ, ଆରଡ଼ିସିଙ୍କ ପକ୍ଷରୁ ଅଭିଯୋଗ ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ

State

ଆଗରପଡ଼ା: ଭଦ୍ରକ ତହସିଲ ଅଧିନରେ କାର୍ଯ୍ୟରତ ଜଣେ ରାଜସ୍ୱ ନିରୀକ୍ଷକ ନିଯୁକ୍ତି ବେଳେ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବାର ହୋଇଥିବା ଅଭିଯୋଗ ଉପରେ ଆରଡ଼ିସି ତାଙ୍କର ଶୁଣାଣି କରିବାକୁ ଆସନ୍ତା ୨୮ ତାରିଖକୁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି । ଏଥି ନିମନ୍ତେ ୍‌କାର୍ଯ୍ୟାଳୟ ତରଫରୁ ପତ୍ର ମାଧ୍ୟମରେ ଅଭିଯୋଗକାରୀ(ସୂଚନା ଅଧିକାର କର୍ମୀ ବିକାଶ ଧଳ)ଙ୍କୁ ଉକ୍ତ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସୂଚିତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଭଦ୍ରକ ଜିଲ୍ଲାରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ବିଭିନ୍ନ ସରକାରୀ ବିଭାଗରେ ଚାକିରି ହାତେଇଥିବା ଅଭିଯୋଗ ଦୀର୍ଘଦିନରୁ ହୋଇ ଆସୁଥିଲା । ଅନେକ ସରକାରୀ କର୍ମଚାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇ ପରବର୍ତ୍ତୀ ସମୟରେ ଚାକିରିରୁ ବହିଷ୍କୃତ ହେଉଛନ୍ତି । ଏହିପରି ସ୍ଥଳେ ଭଦ୍ରକ ତହସିଲ ଅଧିନରେ କାର୍ଯ୍ୟରତ ଜଣେ ରାଜସ୍ୱ ନିରୀକ୍ଷକ ନିଯୁକ୍ତି ବେଳେ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପଦାକୁ ଆସିଥିଲା । ସୂଚନା ଅଧିକାର କର୍ମୀ ବିକାଶ ଧଳ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଥିଲେ । ହାଇକୋର୍ଟ ତାଙ୍କ ମାମଲାକୁ ଗ୍ରହଣ କରି ଉକ୍ତ ମାମଲାର ବିଚାର କରିବା ସହିତ ତାଙ୍କ ଆଦେଶରେ ଭଦ୍ରକ ଜିଲ୍ଲାପାଳଙ୍କୁ ତିନିମାସ ମଧ୍ୟରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ ।

ପରେ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମିସ୍‌କେସ ଆଗତ ହୋଇଥିଲା । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଚାନ୍ଦବାଲି ତହସିଲଦାର ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ କମିଟି ଏହି ଘଟଣାର ଜାଂଚ କରିଥିଲୋ ପରେ ଉଭୟ ସଂପୃକ୍ତ ଆରଆଇ (ଗଜେନ୍ଦ୍ର ଦାସ )ପ୍ରକୃତରେ ଏସସି (ତଫସିଲ ବର୍ଗ) ଜାତିର ହୋଇଥିବା ବେଳେ ମିଥ୍ୟା ପ୍ରମାଣପତ୍ର ପ୍ରଦାନ କରି (ଏସଟି) ଆଦିବାସୀ ବୋଲି ଚାକିରୀ ହାତେଇଥିବା ତାଙ୍କ ତଦନ୍ତରେ ସ୍ପଷ୍ଟ କରିଥିଲେ । ଏହା ସ୍ପଷ୍ଟ ହେବା ପରେ ଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟ ହାଇକୋର୍ଟକୁ ପ୍ରଦାନ କରିଥିଲେ । ଅପରପକ୍ଷେ ଜିଲ୍ଲା ମଙ୍ଗଳ ଅଧିକାରୀ ଆରଡ଼ିସିଙ୍କୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ (୧୩.୦୬.୨୦୨୨)ଉକ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । କିନ୍ତୁ ଆରଡ଼ିସିଙ୍କ ପକ୍ଷରୁ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ସୂଚନା ଅଧିକାର କର୍ମୀ ବିକାଶ ଧଳ ପୁନଶ୍ଚଃ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ଅଭିଯୋଗକୁ ବିଚାରକୁ ନେଇ ଆଦେଶ ପାଇବାର ଚାରି ସପ୍ତାହ ମଧ୍ୟରେ ସଂପୃକ୍ତ ଆରଆଇ ଗଜେନ୍ଦ୍ର ଦାସଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରଡ଼ିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।