Onn 3

ଘରୋଇ ସ୍କୁଲରେ ପ୍ରଥମ ମହଲାରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର, ଅନ୍ୟ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

State

Rgda-chaitan-school-re-accident-4-750x430

ରାୟଗଡ଼ା: ରାୟଗଡା ସହରରେ ଥିବା ଏକ ଘରୋଇ ସ୍କୁଲରେ ଆଜି ଅଘଟଣ ଘଟିଛି। ବାରିଝୋଲା ନିକଟସ୍ଥ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍ ପ୍ରଥମ ମହଲାରୁ ତଳକୁ ଖସି ପଡ଼ି ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏକା ଥରକେ ଯୁକ୍ତ ଦୁଇ ଶ୍ରେଣୀର ଅନ୍ୟ ୧୦ଜଣ ଛାତ୍ରଛାତ୍ରୀଙ୍କ ଶରୀର ଥରିବା ଓ ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ମଧ୍ୟ ମେଡିକଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ରାୟଗଡା ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ମେଡିକଲରେ ଭର୍ତ୍ତି ହୋଇଥିବା ୧୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି।
ଶ୍ରୀ ଚୈତନ୍ୟ ଟେକ୍ନୋ ଘରୋଇ ସ୍କୁଲରେ ପ୍ରକୃତରେ କଣ ଘଟିଥିଲା ତାହା ଅସ୍ପଷ୍ଟ ଥିବା ବେଳେ ପ୍ରଥମ ମହଲାରୁ ତଳକୁ ଖସି ପଡିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବିଶାଖାପାଟଣମ୍‌କୁ ନେଇଥିବା ଜଣାପଡିଛି। ଘଟଣା ସଂପର୍କରେ ସ୍କୁଲ ପ୍ରିନସିପାଲ ଏମ.ରଜନୀଙ୍କୁ ପଚାରିବାରୁ ଆଜି ପୂର୍ବାହ୍ନରେ ସ୍କୁଲର ଦଶମ ଶ୍ରେଣୀର ଆରଧାନା ନାମକ ଜଣେ ଛାତ୍ରୀ ନିଜ କ୍ଳାସ ରୁମରେ ଅଧ୍ୟୟନ କରୁଥିବା ବେଳେ ଟିଫିନ୍ ବ୍ରେକ୍ ସମୟରେ ସେ ପ୍ରଥମ ମହଲାରେ ଥିବା ୱାସ ରୁମ ପାଖରୁ ତଳେ କଚାଡି ହୋଇ ପଡିଥିଲା। ସ୍କୁଲରେ ଥିବା କର୍ମଚାରୀ ତଥା ଶିକ୍ଷକଶିକ୍ଷୟତ୍ରୀମାନେ ତୁରନ୍ତ ଛାତ୍ରୀ ଜଣଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତଳେ ପଡି ଛଟପଟ ହେଉଥିବା ଅବସ୍ଥାରେ ଉକ୍ତ ଛାତ୍ରୀଙ୍କୁ ଦେଖି ଯୁକ୍ତ ଦୁଇ ଶ୍ରେଣୀର ଅନ୍ୟ ୧୦ଜଣ ଛାତ୍ରଛାତ୍ରୀମାନେ ଏକ ପ୍ରକାର ଭୟଭୀତ ହୋଇ ସମସ୍ତେ ଥରିବାକୁ ଲାଗିବା ସହ ଚେତାଶୂନ୍ୟ ଭଳି ଅବସ୍ଥାରେ ପଂହଚିଥିଲେ, ଯାହାକୁ ଦେଖି ପୁଣି ସ୍କୁଲ କର୍ତୁପକ୍ଷ ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ସେମାନଙ୍କୁ ସ୍କୁଲ ବସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ସେଠାରେ ସମସ୍ତଙ୍କୁ ଚିକିତ୍ସା କରାଯାଇଥିବା ବେଳେ ଘଟଣା ସଂପର୍କରେ କେହି କିଛି ବୁଝିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ଏଭଳି ଅବସ୍ଥାକୁ ଦେଖି ଚକିତ ହୋଇଯାଇଛନ୍ତି।
ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବାରୁ ସେ ବାନ୍ତି କରିବାକୁ ଯିବା ସମୟରେ ମୁଣ୍ଡ ବୁଲାଇଥିବା ହେତୁ ପ୍ରଥମ ମହଲାରୁ ତଳକୁ ଖସି ପଡିଥାଇ ପାରେ ବୋଲି ସ୍କୁଲ ଅଧ୍ୟକ୍ଷା ଏମ.ରଜନୀ ପ୍ରକାଶ କରିଛନ୍ତି। ତେବେ ପୁଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ରାୟଗଡାରେ ଚର୍ଚ୍ଚା ଜୋର ଧରିଛି। ଏକା ଥରକେ ୧୦ଜଣ ଛାତ୍ରଛାତ୍ରୀମାନେ ଚେତାଶୂନ୍ୟ ହେବା ସହ ଥରି ଉଠିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ପରେ ଅଭିଭାବକମାନେ ନିଜ ନିଜ ପିଲାମାନଙ୍କୁ ଘରକୁ ନେଇ ଫେରିଛନ୍ତି ଏବଂ ସ୍କୁଲ ଆରମ୍ଭ ଦିନରୁ ଲାଗି ରହିଥିବା ଅନେକ ଆନୁସାଙ୍ଗିକ ବ୍ୟବସ୍ଥାରେ ସୁଧାର ଆସି ନ ଥିବା ବେଳେ ପିଲାଙ୍କ ପାଠ ପଢା ପାଇଁ ଯୋଗ୍ୟ ଶିକ୍ଷକର ଅଭାବ ରହିଥିବା ନେଇ ଅଭିଭାବକ ରାମମୋହନ ଅଭିଯୋଗ କରିଛନ୍ତି।