Onn 3

‘ଡିପ୍‌ଫେକ୍‌’ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା

National & International

aswini

ନୂଆଦିଲ୍ଳୀ: ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, କାଜୋଲଙ୍କର ‘ଡିପ୍‌ଫେକ୍‌’ ଭିଡିଓ ‌ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଂଗକୁ ନେଇ ଏବେ କେନ୍ଦ୍ର ସରକାର ବି ତତ୍ପରତା ପ୍ରଦର୍ଶନ କରିଛନ୍ତି।
ଜାଣିବାକୁ ମିଳିଛି ଯେ ଏହି ‘ଡିପ୍‌ଫେକ୍‌’ ପ୍ରସଙ୍ଗରେ କେନ୍ଦ୍ର ସରକାର ଖୁବ ଶୀଘ୍ର ସୋସିଆଲ ମିଡିଆ ପ୍ଲାଟଫର୍ମମାନଙ୍କୁ ଭେଟିବେ। ଏ ନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସୋସିଆଲ ମିଡିଆ ପ୍ଲାଟଫର୍ମ ସୁରକ୍ଷା ପଦକ୍ଷେପ ନନେଲେ ଏହି ମାମାଲାକୁ ନିୟନ୍ତ୍ରଣ କରିହେବ ନାହିଁ ବୋଲି ସେ ମତ ରଖି କହିଛନ୍ତି।
ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ନିକଟରେ କମ୍ପାନି ଓ ‘ଡିପ୍‌ଫେକ୍‌’ ଘଟଣାରେ ଯେଉଁ ପ୍ଲାଟ୍‌ଫର୍ମ ଦ‌ାୟୀ ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ଏହିପରି ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସ୍ଥାଗୁଡ଼ିକୁ ଅଧିକ ତତ୍ପର ହେବାକୁ ପଡିବ ବୋଲି ସେ କହିଛନ୍ତି।
ଅଶ୍ବିନୀ ତ‌ାଙ୍କ ମତ ରଖି କହିଛନ୍ତି, “ସେମାନେ ପଦକ୍ଷେପ ନେଉଛନ୍ତି। କିନ୍ତୁ ଆମେ ଭାବୁଛୁ ଆହୁରି ଅଧିକ ପଦକ୍ଷେପ ନେବାକୁ ପଡିବ। ଆମେ ଖୁବ୍ ଶୀଘ୍ର ସମସ୍ତ ପ୍ଲାଟଫର୍ମକୁ ନେଇ ଏକ ବୈଠକ କରିବାକୁ ଯାଉଛୁ। ବୋଧହୁଏ ଆଗାମୀ ୩-୪ ଦିନ ମଧ୍ୟରେ ଆମେ ଏହା କରିବୁ।’’
ଉଲ୍ଲେଖଯୋଗ୍ୟ, ପ୍ରଥମେ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ପରେ କ୍ୟାଟ୍ରିନା କୈଫ୍‌ ଓ କାଜୋଲଙ୍କ ‘ଡିପ୍‌ଫେକ୍‌’ ଭିଡିଓ ‌ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ବହୁ ବଲିଉଡ୍‌ ସେଲିବ୍ରିଟିି ନ୍ୟାୟ ପାଇଁ ଆଗେଇ ଆସିଥିଲେ। ପୁଲିସ୍‌ ବି ତତ୍ପରତା ପ୍ରକାଶ କରି ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏବେ ଏହି ପ୍ରସଂଗ ସଭିଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ସରକାର ବି ସକ୍ରିୟ ହୋଇଛନ୍ତି।